oom

ଗୋପାଳପୁର ବେଳାଭୂମି ମହୋତ୍ସବ ସକାଶେ ଦ୍ୱିତୀୟ ପ୍ରସ୍ତୁତି ବୈଠକ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବ ସକାଶେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଗୋପାଳପୁର ସ୍ଥିତ ସର୍କିଟ ହାଉସ୍ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ମାସ ଗୋପାଳପୁର ଠାରେ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳାଭୂମି ମହୋତ୍ସବ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇପାରିବ, ସେଥି ନିମନ୍ତେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ କାର୍ଯ୍ୟ ଖସଡା ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ କୁହାଯାଇଛି । ଦୁଇ ବର୍ଷର ବ୍ୟବଧାନ ପରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଛି । ଏଣୁ ପ୍ରବଳ ଜନ ଗହଳି ହେବ, ଏହାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଚଳିତ ବର୍ଷ ବ୍ରହ୍ମପୁର, ଛତ୍ରପୁର ଦେଇ ଗୋପାଳପୁରକୁ ଆସିବେ । ଏଣୁ ଜନସାଧାରଣ ଗୋପାଳପୁର ନିକଟସ୍ଥ ହରିପୁର ରାସ୍ତା ଦେଇ କିଭଳି ବିନା ଦ୍ୱିଧାରେ ଗୋପାଳପୁର ଆସିବେ ସେ ଦିଗରେ ବ୍ୟବସ୍ଥା କରାଯିବ । ଲୋକଙ୍କ ଯାତାୟତ ସକାଶେ ମରାମତି ହେଉଥିବା ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କୁହାଯାଇଛି । ଦୁଇ ଚକିଆ ଯାନ ଗୁଡିକ ହରିପୁର ମଧ୍ୟଦେଇ ମହୋତ୍ସବ ସ୍ଥଳକୁ ଯିବ । ହରିପୁର ଠାରେ ଦୁଇ ଚକିଆ ଯାନ ରଖିବା ସକାଶେ ପାର୍କିଂ ବ୍ୟବସ୍ଥା ହେବ । ସେହିଠାରୁ ଲୋକେ ବ୍ରିଜ୍ ରାସ୍ତା ଦେଇ ମହୋତ୍ସବ ସ୍ଥଳକୁ ଯିବେ । ଗୋପାଳପୁର ବସଷ୍ଟାଣ୍ଡ, ଷଣ୍ଢ ଛକ ଠାରେ ମଧ୍ୟ ପାର୍କିଂ ବ୍ୟବସ୍ଥା କରାଯିବ । ପାର୍କିଂ ସ୍ଥଳରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପରିଚାଳନା ସକାଶେ ଦାୟିତ୍ୱ ଦିଆଯିବ । ପଲ୍ଲିଶ୍ରୀ ମେଳା ସକାଶେ ଆସୁଥିବା ସ୍ୱୟଂ ସହାୟକ ଦଳ ସାଧାରଣ ମେଳାର ମେଳା ଆୟୋଜକ ଏବଂ କଳାକାରମାନଙ୍କ ରହିବା ବ୍ୟବସ୍ଥା, ଟ୍ରାଫିକ୍ ବ୍ୟବସ୍ଥା, ସଫେଇ କାର୍ଯ୍ୟ, ଜଳ ଯୋଗାଣ ବ୍ୟବସ୍ଥା, ଅସ୍ଥାୟୀ ପରିଶ୍ରାଗାର, ରାସ୍ତାର ପାର୍ଶ୍ବ ଆଲୋକୀକରଣ, ବାରିକେଡ୍ ବ୍ୟବସ୍ଥା, ପ୍ରଚାର ପ୍ରସାର, ଯାତାୟତ ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ମୀନା ବଜାର, ସ୍ମରଣୀକା ପ୍ରକାଶନ, କଳାକାର ଚୟନ ଇତ୍ୟାଦି ସମସ୍ତ ବିଷୟ ଘେନି ବୈଠକରେ ସୁବିସ୍ତୃତ ଆଲୋଚନା ହୋଇଯାଇଛି । ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ସେମାନଙ୍କ ସ୍ତରରେ କେଉଁସବୁ ପଦକ୍ଷେପମାନ ଏଯାବତ୍ ଗ୍ରହଣ କରିଛନ୍ତି ତାହା ଜିଲ୍ଲାପାଳ ପଚାରି ବୁଝିଥିଲେ । ଚଳିତ ବର୍ଷର ମହୋତ୍ସବ କିଭଳି ଯାକ୍‌ଯମକ୍‌ରେ ହେବ, ଜନସାଧାରଣ ଭରପୁର ମଜା ନେଇ ପାରିବେ ସେ ସମସ୍ତ ବ୍ୟବସ୍ଥା ଦିଗରେ ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି । ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ଥାନୀୟ କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗଞ୍ଜାମର ଲୋକକଳା ପରିବେଷଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମର ଲୋକକଳା ପରିବେଷଣ ସକାଶେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ମଞ୍ଚ ଦିଆଯିବ । ସେମାନେ ସଂଧ୍ୟା ୫ ଘ.ରୁ ରାତ୍ର ୯ ଘ. ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବାର ସୁଯୋଗ ପାଇବେ ।

ବୈଠକରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଏମ୍. ଶ୍ରବଣ ବିବେକ୍ ଟ୍ରାଫିକ ବ୍ୟବସ୍ଥାକୁ କିପରି ପରିଚାଳନା କରିହେବ ସେ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି ପ୍ରଥମ ବୈଠକ ପରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବୈଠକରେ ଅବଗତ କରାଇ ଚଳିତ ବର୍ଷ ନିମନ୍ତେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ସମସ୍ତ ପଦକ୍ଷେପ ଗ୍ରହଣ କରି ଯଥାଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଜଣାଇଥିଲେ । ବୈଠକରେ ଜିଲ୍ଲା ସହର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.