ଜିଲ୍ଲା ସାମ୍ବାଦିକ ସଂଘ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସାମ୍ବାଦିକ ସଂଘର ନବଗଠିତ କର୍ମକର୍ତ୍ତାମାନଙ୍କ ପ୍ରଥମ ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ସଂଘ ପାଠାଗାର ପରିସରରେ ସଭାପତି ଶିବପ୍ରସାଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥୀଙ୍କ ସ୍ୱାଗତ ଭାଷଣ ପରେ ସଂଘର ଦିବଂଗତ ସଦସ୍ୟମାନଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ନୂତନ କର୍ମକର୍ତ୍ତାମାନେ ସଂଗଠନ ପ୍ରତି ନିଜର ନିଷ୍ଠା ଓ ପରାକାଷ୍ଠା ପାଇଁ ଶପଥ ପାଠ କରିଥିଲେ ।

ସଂଘର ଆଗାମୀ ୨ ବର୍ଷ ପାଇଁ ଉନ୍ନୟନମୂଳକ କାର୍ଯ୍ୟ ସାଙ୍ଗକୁ ସାଂଗଠାନିକ କାର୍ଯ୍ୟକ୍ରମ କିପରି ଆଗକୁ ଯିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପ୍ରସ୍ତାବ ଗୃହୀତ ହୋଇଥିଲା । ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନାଚକ୍ର କିମ୍ବା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ଭଳି ପଦକ୍ଷେପ ଗ୍ରହଣ କରିବାକୁ ଉପଦେଷ୍ଟାମାନେ ମତ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାର ଉପାନ୍ତ ଅଂଚଳ ବିଶେଷକରି ଖପ୍ରାଖୋଲ, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଏବଂ ଗୁଡଭେଲା ବ୍ଲକ ଅଂଚଳ ଗୁଡିକରେ ସଂଘର କାର୍ଯ୍ୟକାରିଣୀ ବୈଠକ କରାଯିବା ସାଙ୍ଗକୁ ସେଠାରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ନେଇ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି ।

ଅନୁଷ୍ଠିତ ବୈଠକରେ ସଂଘର ଉପଦେଷ୍ଟା ଗୋପବନ୍ଧୁ ଶତପଥୀ, ନବୀନ ପଶାୟତ, ସୁଭାଷ ଚନ୍ଦ୍ର ପଣ୍ଡା, ସୋମନାଥ ଆଚାର୍ଯ୍ୟ, ସୁଧିର ଚନ୍ଦ୍ର ପଣ୍ଡା, ଉପଦେଷ୍ଟା ତଥା ପୂର୍ବତନ ସଭାପତି ହରି ନାରାୟଣ ପୁଝାରୀ, ଉପସଭାପତି ବଳରାମ ମିଶ୍ର, ଲକ୍ଷ୍ମୀକାନ୍ତ ମିଶ୍ର, ଦୀପକ ସମ୍ମାଦାର, ସମ୍ପାଦକ ସଞ୍ଜୟ ବେହେରା, ରଞ୍ଜିତ ବେହେରା, ଅଭୟ ତ୍ରିପାଠୀ, ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସୁନୀଲ ମହାନ୍ତି, କାର୍ଯ୍ୟକାରୀ କମିଟି ସଦସ୍ୟ ଶରତ ଚନ୍ଦ୍ର ମହାକୁର, ବିରେନ୍ଦ୍ର ଝାଙ୍କର, ଚନ୍ଦ୍ରଭାନୁ ମୌଲନା, ବିମଳ ଚନ୍ଦ୍ର ହୋତା ପ୍ରମୁଖ ନିଜ ନିଜ ସୁଚିନ୍ତିତ ମତାମତ ଦେଇ ସଂଗଠନକୁ ଆଗେଇ ନେବାକୁ ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.