jayashree

ବଲାଙ୍ଗିର ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ବୈଠକ

  • ତୃଣମୂଳ ସ୍ତରରୁ ଖାଉଟି ଅଧିକାର ଓ ସୁରକ୍ଷା ସମ୍ପର୍କରେ ଜନ ସଚେତନତା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ବଲାଙ୍ଗିର ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକାଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଲୋକସଭା ସାଂସଦଙ୍କ ପ୍ରତିନିଧି ମାଧବ କୁମାର ସାଏ, ଲୋଇସିଂହା ବିଧାୟକଙ୍କ ପ୍ରତିନିଧି ଦେବୀଲାଲ ମିଶ୍ର, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲ୍ଲା ଖାଉଟି ବିବାଦ ଓ ପ୍ରତିକାର ଫୋରମର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ, ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପ୍ରଧାନଙ୍କ ସମେତ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ସଦସ୍ୟ ଓ ସଦସ୍ୟା ମାନଙ୍କୁ ସ୍ଵାଗତ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ଗଠନ, ପ୍ରକ୍ରିୟା, ଭୂମିକା ଏବଂ ଦାୟିତ୍ଵ, ଖାଉଟି ସୁରକ୍ଷା ଆଇନ -୨୦୧୯ର ପ୍ରମୁଖ ପ୍ରାବଧାନ, ଉଦ୍ଦେଶ୍ୟ ତଥା ଅଧିନିୟମର ଲକ୍ଷ୍ୟ, ଖାଉଟି ସୁରକ୍ଷା ଆଇନ -୨୦୧୯ରେ କରାଯାଇଥିବା ପରିବର୍ତ୍ତନ, ଆଇନରେ ଥିବା ଦଣ୍ଡବିଧାନ ଇତ୍ୟାଦି ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଖାଉଟି ସୁରକ୍ଷା ଆଇନ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବା ଉପରେ ବିଧାୟକ ଶ୍ରୀ ମିଶ୍ର ଗୁରୁତ୍ଵାରୋପ କରିବା ସହ ଗ୍ରାହକ ମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ତୃଣମୂଳ ସ୍ତରରୁ ସଚେତନ କରିବାକୁ ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କେନ୍ଦ୍ର ଗୁଡିକରେ ଗ୍ରାହକ ମାନଙ୍କ ସୂଚନା ନିମନ୍ତେ ଷ୍ଟକ, ମୂଲ୍ୟ ଇତ୍ୟାଦି ତଥ୍ୟ ସମ୍ବଳିତ ସୂଚନା ପ୍ରଦର୍ଶିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତ୍ୟାବଶ୍ୟକ ସାମଗ୍ରୀ ଆଇନର କାର୍ଯ୍ୟକାରିତା, ଖାଦ୍ୟ ଅପମିଶ୍ରଣ ଇତ୍ୟାଦିର ତଦାରଖ କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଖାଉଟି ସୁରକ୍ଷା ଆଇନ -୨୦୧୯, ଗ୍ରାହକ ମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ଖାଉଟି ମାନଙ୍କୁ ସଚେତନ କରିବା ନିମନ୍ତେ ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ସହ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ବୈଠକରେ ଆଲୋଚନା ହେବା ସହ ଖାଉଟି ସୁରକ୍ଷା ଓ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା । ବୈଠକ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.