lika

ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟିର ବୈଠକ : ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ଵାରୋପ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ତୁଷୁରା ଉଡାଜାହାଜ ପଡିଆ ସ୍ଥିତ ଅତିଥି ଭବନ ହଲଠାରେ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ, ତୁଷୁରା ଏନ୍‌ଏସିର ଅଧ୍ୟକ୍ଷ ଅଜୟ ଜୟସ୍ଵାଲ, ଗୁଡଭେଲା ଜିଲ୍ଲା ପରିଷଦ ସଦସ୍ୟ ନିୱାସ ଅଗ୍ରୱାଲ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଗୁଡଭେଲା ବିଡିଓ ବିନୋଦ କୁମାର ନାଏକ, ଟିଟିଲାଗଡ ବିଡିଓ ନବୀନ କୁମାର ନାୟକ, ସଇଁତଲା ବିଡିଓ ଚନ୍ଦ୍ରମଣି ନାଗଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀ ଓ କମିଟିର ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ଥିଲେ । ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନିଗୋଟି ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ଲୋକାଭିମୁଖୀ ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ସାହୁ ସବିଶେଷ ସମୀକ୍ଷା କରିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ଖର୍ଚ୍ଚ ଅଟକଳ ସମ୍ପର୍କରେ ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟ ଚାଲୁଥିବା ୫’ଟି ରୂପାନ୍ତରଣ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେବାସହ ଯେଉଁ ସବୁ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଅସମ୍ପୂର୍ଣ୍ଣ ଅଛି ସେ ସବୁର କାର୍ଯ୍ୟକୁ ତ୍ୱରାନ୍ୱିତ କରି ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅସମ୍ପୂର୍ଣ୍ଣ ଅଙ୍ଗନୱାଡି ଗୃହ ଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ବିଦ୍ୟୁତ ଓ ପାଣିର ଉପଲବ୍ଧ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ବିଭିନ୍ନ ଯୋଜନା ତଥା ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଦିଗରେ ବିଭାଗୀୟ ସମନ୍ଵୟ ଉପରେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଗୁଡଭେଲା, ଟିଟିଲାଗଡ ଓ ସଇଁତଲା ବ୍ଲକରେ ଗୋଟିଏ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ଓ ମିଶନ ଶକ୍ତି କାଫେ କରିବାକୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ବିଡିଓମାନଙ୍କୁ ମନ୍ତ୍ରୀ ଶ୍ରୀମତୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ ବ୍ୟତୀତ ଜାମୁଟରୁ ଧାନପୁର ରାସ୍ତା, ଘୁନାରୁ ବଗବାହାଲ ରାସ୍ତାର ଉନ୍ନତିକରଣ, ତୁଷୁରାରୁ ଗୁଡଭେଲା, ତୁଷୁରା ଛକରୁ ତୁଷୁରା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ତଥା ରକ୍ଷଣାବେକ୍ଷଣ, ଗୁଡଭେଲା ଏବଂ ବେଲଗାଁ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ଗ୍ରାମ୍ୟ ଯୋଗାଣ ବିଭାଗ ଦ୍ଵାରା ନିର୍ମାଣଧୀନ ଓଭରହେଡ ଟ୍ୟାଙ୍କ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏତଦ୍‌ ବ୍ୟତୀତ ପ୍ରାଣୀ ସମ୍ପଦ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ଯୋଜନା, ଫସଲବୀମା, ସାର ଯୋଗାଣର ସ୍ଥିତି, ଇନ୍‌ପୁଟ ସବସିଡି, ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଓ ହଷ୍ଟେଲ, ମୁକ୍ତା ଯୋଜନା ଜରିଆରେ ନିର୍ମାଣଧୀନ ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବିଭିନ୍ନ ଆୟସୃଷ୍ଟିକାରୀ ଓ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ଉପଲବ୍ଧ ହେଉଥିବା କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ବ୍ୟାପକ ଜନସଚେତନତା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀମତୀ ସାହୁ ନିର୍ଦ୍ଦେଶ ଦେଇଥିଲେ ।

babaa
Leave A Reply

Your email address will not be published.