- ସେପ୍ଟେମ୍ବର ୧୧ ଭୁବନେଶ୍ୱର ଆନ୍ଦୋଳନରେ ଯୋଗଦେବା ପାଇଁ ସଂଘର ନିଷ୍ପତ୍ତି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ସଭାପତି ସୁଧାଂଶୁ ଶେଖର ବାରିକଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ଚୁକ୍ତି ଭିତ୍ତିକରେ ଥିବା ପୂର୍ବତନ ସଭାପତି ଓ ନେତୃବୃନ୍ଦ ଡୋଳାମଣି ସାହୁ, ନରେଶ ଦ୍ୱାରି, ଦୂତିରଞ୍ଜନ ମହାଲିଙ୍ଗ, ଦେବାଶିଷ ବିଶି, ସୁଦର୍ଶନ ଦାଶ, ବୀରକିଶୋର ସୁନା, ରାମନାରାୟଣ ଦାଶ, ବିନୋଦ କୁମାର ମିଶ୍ର, ଅରବିନ୍ଦ କୁମ୍ଭାର, ସର୍ଜନ ପାତ୍ର, ଦିବ୍ୟରଂଜନ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ । ସରକାରଙ୍କ ଚୁକ୍ତି ଭିତ୍ତିକ ନିଯୁକ୍ତି ତଥା ଉଚ୍ଛେଦ ଏବଂ ୬ ବର୍ଷ ଚୁକ୍ତି ଭିତ୍ତିକ ଚାକିରିକୁ ମୂଳ ଚାକିରିରେ ଯୋଗ କରିବା ଏକ ଯୁକ୍ତି ଯୁକ୍ତ ବିଷୟ ବୋଲି ଉପସ୍ଥାପନା କରି ସରକାରଙ୍କ ବିରୋଧରେ ରାଜ୍ୟ ଚୁକ୍ତି ଭିତ୍ତିକ ମହାସଂଘ ଓଡିଶା ତରଫରୁ ସେପ୍ଟେମ୍ବର ୧୧ରେ ଡାକରା ହୋଇଥିବା ଆନ୍ଦୋଳନକୁ ଦୃଢ ସମର୍ଥନ ଦିଆଯିବ ବୋଲି ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ସଭା ମଧ୍ୟରେ ଓଡିଶା ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ପଂଚାନନ ଜେନା ଭିଡିଓ କଲ ମାଧ୍ୟମରେ ସେପ୍ଟେମ୍ବର ୧୧ ଧାରଣା ବିଷୟରେ ଅବଗତ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲାରେ ନୂତନ ଭାବରେ ପ୍ରାରମ୍ଭିକ ନିଯୁକ୍ତି ପାଇଥିବା ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପୂର୍ବରୁ ଅନ୍ଲାଇନ ମାଧ୍ୟମରେ ବ୍ଲକ ସ୍ତରୀୟ ଚୁକ୍ତି ଭିତ୍ତିକ ସଂଘର ବୈଠକ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଚୁକ୍ତି ଭିତ୍ତିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଦିପେଶ କୁମାର ଗଡିଆ ଓ ଅର୍ଚ୍ଚନା ଶୁଭଦର୍ଶିନୀ ହନୁମାନଙ୍କୁ ନୂତନ ଭାବରେ ଜିଲ୍ଲା ଚୁକ୍ତି ଭିତ୍ତିକ ସଂଘର ଉପ-ସଭାପତି ଭାବରେ ଚୟନ କରାଯାଇଥିଲା । ୨୦୨୨ ବ୍ୟାଚର ଦଳପତି ଭାବରେ ମିଥୁନ କୁମାର, ବୁଲୁ ମେହେର, ହରିପ୍ରିୟା ଧରୁଆ, ଝୁନିତା ଭୋଇ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ଉପସଭାପତି ସୁଧିର କୁମାର ପଧାନ ପରିଚାଳନା କରିଥିବା ବେଳେ ଉପସଭାପତି ହେମନ୍ତ ନାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।