ବନ୍ୟା ପରିସ୍ଥିତର ମୁକାବିଲା ନେଇ ସମୀକ୍ଷା ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୟାନଦୀରେ ବନ୍ୟା ଆସିବାରୁ କଣ୍ଟି କାଜରେ ଅତିରିକ୍ତ ବନ୍ୟା ଜଳ ପ୍ରବାହିତ ହୋଇ ଡେଲାଙ୍ଗ ବ୍ଲକର ଚାଁଇପୂର, ସିଙ୍ଗ ବ୍ରହ୍ମପୁର, ସୂଜନପୂର, ମୋତରୀ ଏହି ୪ଟି ପଞ୍ଚାୟତର ପ୍ରାୟ ୧୦-୧୩ଟି ଗାଁ ଜଳବନ୍ଦୀରେ ମୁଖ୍ୟ ରାସ୍ତା ଓ ଚାଷ ଜମିରେ ଆଣ୍ଠୁଏ ଉଚ୍ଚରେ ବନ୍ୟ ଜଳ ପ୍ରବାହିତ ହେଉଛି । ଡେଲାଙ୍ଗ ଅଞ୍ଚଳର ବନ୍ୟା ପରିସ୍ଥିତର ମୁକାବିଲା ନେଇ ମଙ୍ଗଳବାର ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ସହ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ, ୧୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ୧୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଦିପ୍ତୀଶ୍ରୀ ରାଉତରାୟ ଏବଂ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ, ଡେଲାଙ୍ଗ ଆଇଆଇସି ଅନିଲ କୁମାର ମହାନ୍ତି, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ବ୍ଲକ ସହାୟକ ନିର୍ବାହୀଯନ୍ତ୍ରୀ ରାଜେଶ୍ଵର ମହାରଣା ପ୍ରମୁଖ ଯୋଗଦେଇ ବନ୍ୟା ପରିସ୍ଥିତ ସମୀକ୍ଷା କରିବା ସହିତ ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ବନ୍ଦବୋସ୍ତ କରାଯାଇଥିଲା । ଏଥିରେ ରାଜସ୍ୱ ବିଭାଗ, ଓଡ୍ରାଫ ଟିମ, ଅଗ୍ନି ସେବା କେନ୍ଦ୍ର, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ଆଇସିଡିଏ ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ରହି ନିଜ ନିଜ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ । ବନ୍ୟା ବିପନ୍ନଙ୍କ ପାଇଁ ଚୁଡା, ଗୁଡ, ଔଷଧ ପାନୀୟ ଜଳ, ଗୋଖାଦ୍ୟ, ରନ୍ଧା ଖାଦ୍ୟ ବନ୍ୟା ବିପନ୍ନଙ୍କୁ ଯୋଗାଇ ଦେବା, ଶିଶୁ ଓ ଗର୍ଭବତୀ ମହିଳାଙ୍କ ଯତ୍ନ ନେବା, ବନ୍ୟା ଅଞ୍ଚଳରେ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବା, ପୋଲିସ ବିଭାଗ ଶାନ୍ତିଶୃଙ୍ଖଳା ରକ୍ଷା, ଧନଜୀବନ ସୁରକ୍ଷା ପାଇଁ ସଜାଗ ରହିବାକୁ, ଯୁଦ୍ଧକାଳୀନ ଭିତିରେ ସହାୟତା ଓ ଉଦ୍ଧାର, ନଦୀବନ୍ଧର ସୁରକ୍ଷା ନେଇ ୨୪ ଘଣ୍ଟିଆ ପେଟ୍ରୋଲିଂ ଓ ବାଲିବସ୍ତା ମହଜୁଦ ରଖିବା ଓ ସବୁ ଜୀବନ ମୂଲ୍ୟବାନ ସେଥିପ୍ରତି ସତର୍କ ଓ ସଚେତନମୂଳକ ପଦକ୍ଷେପ ଡେଲାଙ୍ଗ ପ୍ରସାଶନ ପକ୍ଷରୁ ନିଆଯାଇଥିଲା ।

Leave A Reply

Your email address will not be published.