ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଭାରତ ସ୍ୱାଧିନତାର ୭୫ ବର୍ଷ ପାଳନ ପରିପ୍ରେକ୍ଷୀରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଉଜ୍ଜଳ ଭାରତ ତଥା ଭଜ୍ଜଳ ଭବିଷ୍ୟତ ପାୱାର @୨୦୪୭ ଉତ୍ସବ ପାଳନ ନିମନ୍ତେ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞନ କଁହରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଡେପୁଟି କଲେକ୍ଟର ପ୍ରୟାଶୀ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ପରେ ପରେ ଏନ୍.ଟି.ପି.ସି ଅତିରିକ୍ତ ନିର୍ଦେଶକ ଏସ୍.ଜେ ପ୍ରଧାନ ଜିଲ୍ଲାସ୍ତରୀୟ ଏହି ଉତ୍ସବ ପାଳନ ନିମନ୍ତେ ହେବାକୁ ଥିବା ବିଭିନ୍ନ କ୍ରମର କାର୍ଯ୍ରଖସଡା ବୈଠକରେ ଉପସ୍ଥାପନ କରିଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ଉତ୍ସବ ଜିଲ୍ଲାର ସୋନପୁର ସହର ଏବଂ ବୀରମାହାରାଜପୁରଠାରେ ଯଥାକ୍ରମେ ୨୦୨୨ ଜୁଲାଇ ୨୬ ଓ ୨୮ତାରିଖରେ ଅନୁଷ୍ଠିତ କରାଯିବାକୁ ସ୍ଥିର କରାଯାଇଛି । କାର୍ଯ୍ୟକ୍ରମକୁ ସରସ ସୁନ୍ଦର ତଥା ସୁବ୍ୟବସ୍ଥିତ ଭାବେ ଅନୁଷ୍ଠିତ କରିବା ନିମନ୍ତେ ବୈଠକର ଅଧ୍ୟକ୍ଷ ଶ୍ରୀ କଁହର ସଂପୃକ୍ତ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିବା ସହ ସମୟ ଅବଧି ପୁର୍ବରୁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଉପରେ ପରାମର୍ଶ ଦେଇଛନ୍ତି । ଏହି ଉତ୍ସବରେ କେନ୍ଦ୍ରସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସହିତ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ପ୍ରଦର୍ଶନ କରାଯିବ । ଅଦ୍ୟ ପ୍ରସ୍ତୁତି ବୈଠକରେ ଡିଜିଏମ୍ ଓପିଟିସିଏଲ, ନିରଞ୍ଜନ ପଣ୍ଡା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଟିପିଓଡବ୍ଲୁଡିଏଲ୍, ସତ୍ୟ ରଞ୍ଜନ ସାହୁ, ଏସ୍ଡିଓଓପିଟିସିଏଲ୍ ସୁଜିତ କୁମାର ବେହେରା, ଇଓ ମ୍ୟୁନିସିପାଲିଟି ସୂର୍ଯ୍ୟରାଂଶୁ ରୁଟ, ବିଡିଓ ବୀରମହାରାଜପୁର ମୋତିଲାଲ ସୁଲିଆ, ଇଲେକ୍ଟ୍ରିକାଲ ପରାମର୍ଶଦାତା ଧନଞ୍ଜୟ ଦୋରା, ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।