
ବ୍ରହ୍ମପୁର, (କେପିଏନ୍ଏସ୍) : ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବିଧାୟକ ରମେଶ ଜେନା ଓ ବ୍ରହ୍ମପୁର ମହାନଗର ନିଗମରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ମେୟର ପ୍ରାର୍ଥିନୀ ମଞ୍ଜୁ ରଥ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ପୌର ନିର୍ବାଚନ ଜନାଦେଶକୁ ସମ୍ମାନ ଜଣାଇ ନିର୍ବାଚିତ ହୋଇଥିବା ଜନ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୋଟରମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏ ସମ୍ପର୍କରେ ଏକ ବୈଠକ ସଭାପତି ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପୌର ନିର୍ବାଚନ ଏବଂ ଦଳର ପରାଜୟ ସମ୍ପର୍କରେ ବ୍ୟାପକ ବିଚାର ବିମର୍ଶ କରାଯାଇଥିଲା । ଆଗାମୀ ଦିନରେ ଦଳକୁ ସୁଦୃଢ଼ କରିବା ସହ ଲୋକଙ୍କ ନିକଟତର ହୋଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ଅପରପକ୍ଷରେ ସମସ୍ତ ଘାତ ପ୍ରତିଘାତ, ସରକାରୀ କଳର ଚାପା, ଅର୍ଥ ଓ ବାହୁ ବଳକୁ ପଛରେ ପକାଇ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳରେ ନବ ନିର୍ବାଚିତ କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଓ ଜିଲ୍ଲାର ସମସ୍ତ ନିର୍ବାଚିତ କଂଗ୍ରେସ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଏହି ବୈଠକରେ ଦଳର ମୁଖପାତ୍ର ରବି ରଥ, ଏସ୍ସି ଏସ୍ଟି ସେଲର ସଭାପତି ଅମିର୍ ଭୂୟାଁ, ଜିଲ୍ଲା ଉପସଭାପତି ମହେଶ୍ୱର ପାତ୍ର, ସମ୍ପାଦକ ଦଣ୍ଡପାଣି ପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା, କେ. ରବି, ଚିନ୍ତାମଣି ନାୟକ, ଅଶୋକ ମୁନି, ସିଦ୍ଧାନ୍ତ ସାହୁ, ଶଶିଭୂଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।