ଦେଓଗାଁ ବ୍ଲକ ଆଦିବାସୀ ସଂଘର ଜରୁରୀ ବୈଠକ

  • ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ସହ ୫ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ସାମାଜିକ ବାସନ୍ଦ
  • ବିଜେଡ଼ି ପ୍ରାର୍ଥୀଙ୍କ ଶାଶୁଙ୍କ ଶବ ପଡ଼ିରହିଲା ୫ଘଣ୍ଟା, ସଂଘର ନିଷ୍ପତ୍ତି ପରେ ଉଠିଲା ଶବ : ଅପରାହ୍ନରେ ହେଲା ସତ୍କାର

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନରେ ସରକାର ସରପଞ୍ଚ ଓ ବ୍ଳକ ଅଧ୍ୟକ୍ଷ ପଦବୀରେ ଆଦିବାସୀଙ୍କୁ ସଂରକ୍ଷଣ ନ ଦେଇ ଅଣଦେଖା କରିଥିବାରୁ ଲଢେ଼ଇ କରୁଥିବା ଆଦିବାସୀ ସଂଘ ନେଇଛି କୋଠର ନିଷ୍ପତ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ଜରୁରୀ ବୈଠକ କରି ଜଣେ ଜିଲ୍ଲା ପରିଷଦ ସଭ୍ୟା ପ୍ରାର୍ଥୀ ଓ ୫ଜଣ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ସାମାଜିକ ଓ ରାଜନୈତିକ ବାସନ୍ଦ କରିଛି ସଂଘ । ଫଲରେ ୫ ଘଣ୍ଟା ଧରି ଘରେ ପଡ଼ିରହିଲା ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଶାଶୁଙ୍କ ଶବ । ଦେଓଗାଁ ବ୍ଳକ ବିଜେଡି ମହିଳା ସଭାପତି ତଥା ୧୨ ନମ୍ବର ଜୋନରୁ ପ୍ରାର୍ଥୀ ହୋଇଥିବା ମମତା କୁମୁରାଙ୍କ ଶାଶୁ ସୌଦାମିନୀ କୁମୁରାଙ୍କ ବିୟୋଗ ଘଟିଥିଲା ଗତକାଲି ସକାଳ ପ୍ରାୟ ୧୦ଟାରେ । ହେଲେ କେହି ଜାତିଭାଇ ନ ଆସିବାରୁ ୫ ଘଣ୍ଟାକାଳ ପଡ଼ିରହିଥିଲା ଶବ । ଅନ୍ୟ ପଟେ ଅପରାହ୍ନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ନେଇ ବ୍ଳକ ନିକଟସ୍ଥ ଖେଳପଡ଼ିଆରେ ଏକତ୍ରିତ ହୋଇଥିଲେ ଆଦିବାସୀ ସଂଘର ନେତୃବୃନ୍ଦ । ସଂଘ ନିୟମ ଖିଲାପ କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ଳକ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ କରିଥିଲା ସଂଘ । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିବା ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ ୧୨ର ବିଜେଡି ପ୍ରାର୍ଥୀ ମମତା କୁମୁରାଙ୍କୁ ସମାଜରୁ ବାସନ୍ଦ କରାଗଲା ବୋଲି ଘୋଷଣା କରିବା ପରେ ଘରୁ ଉଠିଥିଲା ଶାଶୁଙ୍କ ଶବ । ଅପରାହ୍ନ ପ୍ରାୟ ୫ଟା ବେଳେ ଗାଁ ମଶାଣୀରେ ପାରମ୍ପାରିକ ଭାବେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ଆଦିବାସୀ ସମାଜର କର୍ମକର୍ତ୍ତାମାନେ ହାତୀସରା ଗାଁର ଶ୍ରୀମତୀ କୁମୁରାଙ୍କ ଘରକୁ ଯାଇ ନିଷ୍ପତ୍ତି ଜଣାଇଥିବା ଜଣାପଡ଼ିଛି ।କେବଳ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ନୁହନ୍ତି ସମିତି ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଲଣ୍ଡାପଥରର ଗୁଣନିଧୀ ଭୋଇ, ରାମଚନ୍ଦ୍ରପୁରର ଶମ୍ଭୁ ଧରୁଆ, ସିଂହାମୁଣ୍ଡାର ବୈଷ୍ଣବ ଧରୁଆ, ଦେଷଣ୍ଡର ଆରତୀ ଧରୁଆ ଓ ମହଲାଇର ବିଶାଖା କୁଅଁରଙ୍କୁ ମଧ୍ୟ ସାମାଜିକ ଓ ରାଜନୈତିକ ବାସନ୍ଦ କରିଥିବାର ସୂଚନା ଦେଇଛି ବ୍ଳକ ଆଦିବାସୀ ସଂଘ । ଏନେଇ ସଂଘର କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆଙ୍କୁ ପଚାରିବାରୁ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ଆସନରେ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା, ସଂଘର ନିଷ୍ପତ୍ତି ଅନୁଯାୟୀ ସଂରକ୍ଷିତ ଆସନରୁ ଆଜି ସମସ୍ତେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା କଥା । କିନ୍ତୁ ନିୟମକୁ ଖାତିର କରିନଥିବା ପ୍ରାର୍ଥୀଙ୍କ ପ୍ରତି ସାମାଜିକ ବାସନ୍ଦ କରାଯାଇଛି ବୋଲି କହିଛନ୍ତି । ଏହି ବୈଠକରେ ଆଦିବାସୀ ନେତା ମହେନ୍ଦ୍ର ମଲ୍ଲିକ, ମୟ ପ୍ରଧାନୀ, ପୁରନ୍ଦର ଭୋଇଙ୍କ ସହ ଶତାଧିକ ଆଦିବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.