jayashree

ପୌର ନିର୍ବାଚନ ସକାଶେ ଭୋଟର ତାଲିକା ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନର ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ପ୍ରକାରେ ଗଞ୍ଜାମ ଜିଲ୍ଲାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ପୌରପରିଷଦ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ଆଦିଗୁଡିକର ନିର୍ବାଚନ ସକାଶେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ନିର୍ବାଚନ ସକାଶେ ବୁଥ୍ ଅନୁସାରେ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ କଲେକ୍ଟରେଟର ଓ ସ୍ୱହଲ୍‌ଠାରେ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ ସକାଶେ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦରର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପୌର ପରିଷଦଗୁଡିକର ନିର୍ବାଚନ ଅଧିକାରୀ ଭାବେ ସମସ୍ତ ତହସିଲଦାରମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି । ସେମାନଙ୍କର ତତ୍ତ୍ୱାବଧାନରେ ବିଧାନସଭା ପରିଷଦର ଭୋଟର ତାଲିକା ତଥ୍ୟ ଆଧାରରେ ବୁଥ୍ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି । ୱାର୍ଡ ଅନୁଯାୟୀ କରାଯାଇଥିବା ସୀମା ନିର୍ଦ୍ଧାରଣକୁ ଦୃଷ୍ଟିରେ ରଖି ଏହି ତାଲିକା ପ୍ରସ୍ତୁତ କରିବା ସକାଶେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଏହି ଭୋଟର ତାଲିକା ୨୦୨୨ରେ ପ୍ରସ୍ତୁତ ବେଳେ କେଉଁ ଦିଗ ପ୍ରତି ଗୁରୁତ୍ୱ ଦେଇ ଏହା କରିବେ ସେ ନେଇ ପ୍ରାଞ୍ଜଳ ଭାବେ ବୁଝାଇ ଦିଆଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଡେପୁଟି କଲେକ୍ଟର ପ୍ରମୋଦ କୁମାର ବେହେରା ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.