ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ଓସୱାନ ହଲଠାରେ ଭର୍‌ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ବ୍ଳକଠାରେ ଉକ୍ତ ଅଞ୍ଚଳର ଅଧିକାରୀ ଏବଂ ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠିତ ବୈଠକରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟୋକନ ମାଧ୍ୟମରେ ଧାନ କିଣା ବିକା ହେବ । ଟୋକନର ଅବଧି ୩୦ଦିନ ରହିବ । ଧାନ କିଣା ବିକା ଜିଲ୍ଲାର ୫୮ଟି ପ୍ୟାକ୍ସ, ୨୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କିଣା ଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଏଫ୍‌ଏକ୍ୟୁ ମାନର ଧାନକୁ ଅଗ୍ରାଧିକାର ଭିତ୍ତିରେ କିଣା ଯିବ । ସେହିଭଳି ସପ୍ତାହରେ ମଣ୍ଡିଗୁଡିକ ୬ ଦିନ ଖୋଲା ରହିବ । ମାର୍କେଟ ୟାର୍ଡ ବ୍ୟତୀତ ଜିଲ୍ଲାର ୨୦୭ଟି ଅସ୍ଥାୟୀ କେନ୍ଦ୍ରରେ ଧାନ ସଂଗ୍ରହ କରିବାକୁ ସ୍ଥିର ହୋଇଛି । ଆସନ୍ତା ୨୫ ତାରିଖରୁ ଅତାବିରା ଓ ଭେଡେନ ବ୍ଲକର ମଣ୍ଡିଗୁଡିକ ଖୋଲିବାକୁ ଥିବା ବେଳେ ବରଗଡ଼ ବ୍ଲକ ନଭେମ୍ବର ୨୮ରେ ଏବଂ ଅନ୍ୟ ସମସ୍ତ ବ୍ଲକ୍ ଅଞ୍ଚଳରେ ଡିସେମ୍ବର ୧୧ରୁ ଧାନ କିଣା ବିକା ହେବ । ଓସୱାନ ହଲ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ମୁଖ୍ୟ ଯୋଗାଣ ଅଧିକାରୀ ରଜନୀ କାନ୍ତ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.