ତୈଳିକ ବୈଶ୍ୟ ସମାଜର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ରବିବାର ଦିନ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶାନ୍ତିପଡ଼ା ସ୍ଥିତ ତୈଳିକ ବୈଶ୍ୟ ସମାଜର କଲ୍ୟାଣ ମଣ୍ଡପରେ ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ଜିଲ୍ଲାର ୧୪ଟି ବ୍ଲକ ଓ ନଗର କମିଟିର ପ୍ରମୁଖ ସଦସ୍ୟମାନେ ଯୋଗଦେଇ ସମାଜର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ବିଗତ ଦିନରେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟରେ ହୋଇଥିବା ଆୟ ଓ ବ୍ୟୟ ସମ୍ପର୍କରେ ସମ୍ପାଦକ ପ୍ରଦୀପ ସାହୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହା ଉପରେ ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ କଲ୍ୟାଣ ମଣ୍ଡପର ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତଙ୍କ ମତାମତ ଗ୍ରହଣ କରାଯାଇଥିଲା । ସେହିପରି ପୁରୁଣା ଅଫିସ ଗୃହକୁ ଭାଙ୍ଗି ସମସ୍ତ ସାମଗ୍ରୀକୁ ନୂତନ ଗୃହକୁ ସ୍ଥାନାନ୍ତର କରିବା, ଏକ ସୁନ୍ଦର ମୁଖ୍ୟଦ୍ୱାର ନିର୍ମାଣ କରି ନିଜସ୍ୱ ରାସ୍ତା କାମକୁ ଅଗ୍ରଗତି କରାଯିବା ପାଇଁ ସଭାରେ ସର୍ବସମ୍ମତି ପ୍ରକାଶ ପାଇଥିଲା । ଏହାସହ କଲ୍ୟାଣ ମଣ୍ଡପର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଆଗକୁ ନେବା ସହ ଜିଲ୍ଲାର ୧୪ଟି ବ୍ଲକ କମିଟିକୁ ପୁନର୍ଗଠନ କରିବା ଏବଂ ଯୁବ ଓ ମହିଳା ଗୋଷ୍ଠୀଙ୍କ ବିଶାଳ ସଦସ୍ୟତା ଗଠନ କରି ସମଗ୍ର ଜିଲ୍ଲାରେ ତେଲି ସମାଜର ଭାଇ ଓ ଭଉଣୀମାନଙ୍କୁ ଏକତ୍ରିତ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସଭାରେ ଜିଲ୍ଲା ଉପସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ବ୍ଲକର ସଭାପତି ଓ ସମ୍ପାଦକ ସହ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ବିକାଶ ସାହୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସହ ସମ୍ପାଦକ ଫିରୋଜ କୁମାର ସାହୁ ସଭାର ସମସ୍ତ ବ୍ୟବସ୍ଥାପନା କରିଥିଲେ ।

Leave A Reply

Your email address will not be published.