ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘ ବଲାଙ୍ଗିରର ଜରୁରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ହାଇସ୍କୁଲରେ ଏନ୍‌ପିଏସ୍‌ ଶିକ୍ଷକମାନେ ଦୀର୍ଘ ଦିନ ଧରି ସରକାରଙ୍କୁ ଦାବି ଜଣାଇ ଆସୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ହୋଇ ଶୁଣୁ ନାହାନ୍ତି ତେଣୁ ବଲାଙ୍ଗିର ଜିଲ୍ଲାର ଏନ୍‌ପିଏସ୍‌ ଶିକ୍ଷକମାନେ ଏ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଅସହଯୋଗ ତଥା ପରୀକ୍ଷା ସମୟରେ ଆନ୍ଦୋଳନରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାରମ୍ବାର ସରକାରଙ୍କ ଦୃଷ୍ଟିକୁ ଆମ ଦାବି ଆଣିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଓ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସରକାର ୨୦୨୨ ମସିହା ଅକ୍ଟୋବର ମାସରେ କଣ୍ଟ୍ରାକ୍ଟଚୁଏଲ ରିଏପିଲ ରୁଲ ୨୦୨୨ ଆଣିଲେ ଓ ସମଗ୍ର ରାଜ୍ୟରୁ ଚୁକ୍ତି ଭିତ୍ତିକ ଚାକିରି ଯୁଗର ଅବସାନ ହେଲା ବୋଲି ଘୋଷଣା କଲେ । ମାତ୍ର ରୁଲରେ ଅନେକ ଅସଙ୍ଗତି ଥିବା କଥା ସରକାର ସ୍ୱୀକାର କରୁଥିବା ବେଳେ ଅସଙ୍ଗତି ଦୂର ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୨୦୦୪ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କ ୬ ବର୍ଷର ଚୁକ୍ତି ଅବଧିକୁ ମୂଳ ଚାକିରିରେ ଗଣନା ତଥା ୬ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ ଦାବୀକୁ ଓଡିଶା ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘ ସରକାରଙ୍କ ଦୃଷ୍ଟିକୁ ଆଣିବା ପରେ ଏ ବିଷୟରେ ବହୁବାର ଆଲୋଚନା ହୋଇଛି ମାତ୍ର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ୨୦୨୫ ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ସଂଘର ଆନ୍ଦୋଳନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସହ ଆଲୋଚନା ସମୟରେ ସରକାର ନିର୍ଭର ପ୍ରତିଶୃତି ଦେଇ ଆନ୍ଦୋଳନରୁ ବିରତ ରହିବାକୁ ନିବେଦନ କଲେ କିନ୍ତୁ ଆଲୋଚନା ଆଲୋଚନାରେ ହିଁ ରହିଗଲା । ସରକାର ପ୍ରତିଶୃତି ପୁରଣ ପାଇଁ ପଦକ୍ଷେପ ଗ୍ରହଣ କଲେ ନାହିଁ । ତତ୍କାଳୀନ ଶିକ୍ଷା ସଚିବ ମାନନୀୟ ସାଲିନ ପଣ୍ଡିତ, ରାଜ୍ୟ ସଂଘ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଆଲୋଚନା ପାଇଁ ଡାକିଥିଲା ଓ ଆମ ସଂଘର ଦାବୀ ପୁରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ କମିଟର ଚେୟାରମେନ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ ତଥା ଅନ୍ୟ ସଦସ୍ୟଙ୍କୁ ଗତ ୨୨.୧୧.୨୦୨୬ରେ ଭେଟି ରାଜ୍ୟ ସଂଘ ସଭାପତି ତଥା ଅନ୍ୟ କର୍ମକର୍ତ୍ତା ୨୦୨୨ ରିଏପିଲ ରୁଲ୍‌ରେ ଥିବା ଅସଙ୍ଗତି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ଓ ସଂଘ ଦର୍ଶାଇଥିଲେ ଯେ, ୨୦୧୩ ପରେ ନିଯୁକ୍ତ ଶିକ୍ଷକମାନଙ୍କର ୬ ବର୍ଷର ଚୁକ୍ତି ଅବଧି ମୂଳ ଚାକିରୀରେ ଗଣନା ହୋଇ ୬ ନ୍ୟାସନାଲ ପ୍ରଦାନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଚକିତ ହେଲେ । ଆମ ସମସ୍ୟାକୁ ସବୁ ସ୍ତରରେ ଯୁକ୍ତିଯୁକ୍ତ ବୋଲି ଗ୍ରହଣ କରାଗଲେ ମଧ୍ୟ ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଗଣଶିକ୍ଷା ମନ୍ତ୍ରୀଙ୍କୁ ସଂଘ ତରଫରୁ ବାରମ୍ବାର ଭେଟି ସମସ୍ୟା ବିଷୟରେ ଅବଗତ କରାଯାଇଛି ମାତ୍ର କେବଳ ସମୟ ନେଇ କିଛି କାମ କରାଯାଇନାହିଁ । ସରକାରଙ୍କ ତରଫରୁ ୨୦୨୨ ଅକ୍ଟୋବର ମାସରୁ କେବଳ ଆଶ୍ୱାସନା ଦେଇ ଆନ୍ଦୋଳନରୁ ବିରତ ରହିବାକୁ ନିବେଦନ କରାଯାଉଛି । ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟିକୁ ଆଣିବା ପରେ କେବଳ ଆଶ୍ୱାସନା ଦେଇ ଭଣ୍ଡାଇ ଦେବାକୁ ଚେଷ୍ଟା କରାଯାଇଛି । ତେଣୁ ଆଉ ଆଶ୍ୱାସନାରେ ବିଶ୍ୱାସ ନ କରି ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଅସହଯୋଗ ନୀତିକୁ ଆପଣେଇ ବାକୁ ସଂଘ ବାଧ୍ୟ ହେଉଛି ଓ ଆଗାମୀ ବିଧାନସଭା ସମୟରେ ଆନ୍ଦୋଳନ କରିବା ପାଇଁ ତା.୦୫.୦୨.୨୬ ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ଏନ୍‌ପିଏସ୍‌ ଶିକ୍ଷକମାନେ ନିଷ୍ପତ୍ତି ନେଲେ ଓ ଆଗାମୀ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ହେବାକୁ ଥିବା ଆନ୍ଦୋଳନରେ ସମସ୍ତେ ଯୋଗ ଦେବେ ବୋଲି ବଲାଙ୍ଗିର ସଂଘ ତରଫରୁ ସଭାପତି ରାଜ କୁମାର ଭୋଇ, ସଂପାଦକ ବୀର କିଶୋର ସୁନା, ଦ୍ୟୁତି ରଂଜନ ମହାଲିଙ୍ଗ, ନରେଶ ଦ୍ୱାରି, ହିମାଂଶୁ ସେନାପତି, ବିଘ୍ନରାଜ ସାହୁ, ଶରତ ନାଗ, କପିଳେଶ୍ୱର କୁମ୍ଭାର, ଶେଷଦେବ ସାହୁ ପ୍ରମୁଖ ଜଣାଇଛନ୍ତି ।

Leave A Reply

Your email address will not be published.