ବଲାଙ୍ଗିର, (କେପିଏନ୍ଏସ୍) : ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଭଇଁସା ମଣ୍ଡଳର ମଣ୍ଡଳ ବୈଠକ ଓ ମଣ୍ଡଳ ଅଧିନସ୍ଥ ବାରପୁଡୁଗିଆ ଗୁଡ଼ିର ଗୁଡ଼ି ବୈଠକ ଚୁଡାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଚିନ୍ତାମଣି ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ସଭାପତି ଭଇଁସା ଶ୍ରୀ ରାଉତ ଅଧ୍ୟକ୍ଷତା କରିଥିଲେ । ସଭାପତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆମ ସମାଜ ଏକ ଶୃଙ୍ଖଳିତ ସମାଜ, ତେଣୁ ଆମେ ସବୁବେଳେ ଆମ ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ସମ୍ମାନ ଦେବା । ପୁଣି ଯୁଗ ପରିବର୍ତ୍ତନ ସହ ଆମ ସମାଜ ଠିକ୍ ଭାବରେ ତାଳ ଦେଇ ଆଗକୁ ଗତିକରିବା ପାଇଁ ଯେଉଁ ସବୁ ସମାଜ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି ତାକୁ ଆମେ ସମସ୍ତେ ଗ୍ରହଣ କରିବା ଉଚିତ୍ । ଯେହେତୁ ଅଘରିଆ ସମାଜ ଏକ କୃଷିଭିତ୍ତିକ ସମାଜ ତେଣୁ କୃଷି କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଚାଷୀ ବୀଣା ରାଉତ ନି- ଜନକପୁର, ଗୁଡ଼ି – ବାରପୁଡୁଗିଆଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଚୁଡାପାଲି ଗ୍ରାମ୍ୟ ସଭାପତି ହୃଷିକେଶ ପଟେଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ବାରପୁଡୁଗିଆ ଗୁଡ଼ିର ସଭାପତି ସାରଥି ପଟେଲ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ଉପସଭାପତି ବିରଞ୍ଚି ରାଉତ, ମଣ୍ଡଳ ସଂପାଦକ ସୁଶୀଲ ପଟେଲ, ବାରପୁଡୁଗିଆ ଗୁଡ଼ି ସଂପାଦକ ଶଶୀଭୂଷଣ ପଟେଲ, ଭଇଁସା ଗୁଡ଼ି ସଭାପତି ଜ୍ଞାନେନ୍ଦ୍ର ସାଏ, ରାମଚନ୍ଦ୍ରପୁର ଗୁଡ଼ି ଉପସଭାପତି ଅନ୍ତର୍ଯ୍ୟାମୀ ନାଏକ, କେନ୍ଦ୍ର କମିଟିର ଉପଦେଷ୍ଟା ଧୋବାଇ ପଟେଲ, ଭଇଁସା ଗୁଡ଼ି ଉପସଭାପତି ମାଧବ ସାଏ ପ୍ରମୁଖ ମଞ୍ଚାସୀନ ଥିବାବେଳେ, ଏଥିରେ ମଣ୍ଡଳ ଅଧିନସ୍ଥ ବାରପୁଡୁଗିଆ, ଭଇଁସା, ରାମଚନ୍ଦ୍ରପୁର ଓ ଦମେଇଗୁଡ଼ିର ଅନେକ କର୍ମକର୍ତ୍ତାଙ୍କ ସହିତ ଅନେକ ଜାତି ଭାଇ ଯୋଗ ଦେଇଥିଲେ । ଶେଷରେ ଭଇଁସା ମଣ୍ଡଳ ସହ ସମ୍ପାଦକ ସୁଶୀଲ କୁମାର ପଟେଲ ଧନ୍ୟବାଦ ପ୍ରଦାନ କରିଥିଲେ ।