ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଖରିଫ ବିପଣନ ୨୦୨୫-୨୬ ଋତୁ ପାଇଁ ମାଣ୍ଡିଆ, ଡାଲି ଏବଂ ତୈଳବୀଜ ଜାତୀୟ ଫସଲର କ୍ରୟ ନିମନ୍ତେ ସ୍ଥାନୀୟ ଖଣ୍ଡୀୟ ବନ ଅଧିକାରୀଙ୍କ ସଭାଗୃହରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ତରଣୀ ସୁନା, ବଲାଙ୍ଗିର ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲ ଏବଂ ଟିଟିଲାଗଡ଼ ଉପ-ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂହ ବରିହା, ଶ୍ରୀ ଅନ୍ନ ଅଭିଯାନ ଓ ଅନ୍ୟ ଯୋଜନାଗୁଡିକର ତଥ୍ୟ ଉପସ୍ଥାପନ କରିଥିଲେ । ମୋଟ ୨୧ ଗୋଟି ମଣ୍ଡି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ୍ ପ୍ରତି ୪,୮୮୬ ଟଙ୍କା ହିସାବରେ, ବଲାଙ୍ଗିର ଜିଲ୍ଲାର ୭ଟି ବ୍ଲକ ଯଥା ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେଇକେଲା, ଖପ୍ରାଖୋଲ, ପାଟଣାଗଡ଼, ଟିଟିଲାଗଡ ଓ ବେଲପଡାରେ ଆସନ୍ତା ଜାନୁୟାରୀ ମାସ ୧୯ ତାରିଖ ଠାରୁ ସାପ୍ତାହିକ ତିନିଦିନ ମଣ୍ଡି ଖୋଲା ଯାଇ ୨୪,୯୫୨ କ୍ଵିଣ୍ଟାଲ୍ ମାଣ୍ଡିଆ କ୍ରୟ ପାଇଁ ସ୍ଥିର କରାଗଲା । ବ୍ଲକସ୍ତରୀୟ କ୍ରୟ ସଂସ୍ଥାଗୁଡିକୁ ବ୍ଲକଗୁଡିକର ନିର୍ଦ୍ଧାରିତ ଲକ୍ଷ୍ୟ ପରିମାଣର ଏଫଏକ୍ୟୁ ମାନର ମାଣ୍ଡିଆ କ୍ରୟ କରିବା ପାଇଁ ପରାମର୍ଶ ଦିଆଗଲା । ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ଉତ୍ପାଦନ ହେଉଥିବା ଜିଲ୍ଲାର ୭ଟି ବ୍ଲକଗୁଡିକୁ ମାଣ୍ଡିଆ ସହିତ ଡାଲି ଓ ତୈଳ ଜାତୀୟ ଶସ୍ୟଗୁଡିକର ଉତ୍ପାଦନ ବୃଦ୍ଧି କରିବା ଦିଗରେ ଅଧିକ ପ୍ରାଧାନ୍ୟ ଦେବାକୁ ଉପ-ମୁଖ୍ୟମନ୍ତ୍ରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ଜିଲ୍ଲାରେ ରପ୍ତାନି ମାନର ଶସ୍ୟ ଉତ୍ପାଦନ କରିବାକୁ ଆଲୋଚନା କରିଥିଲେ । ପୁନଶ୍ଚ ସେ ଜିଲ୍ଲାପାଳଙ୍କ ତତ୍ତ୍ଵବଧାନରେ ଚାଷୀଙ୍କ ଅନ୍ୟ ରାଜ୍ୟକୁ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ରଖିବାକୁ କହିଥିଲେ । ମଣ୍ଡି ଗୁଡିକରେ ଚାଷୀମାନଙ୍କର ମାଣ୍ଡିଆ ବିକ୍ରୟ ପାଇଁ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଗୁରୁତ୍ଵ ଦେବା ପାଇଁ ଆଲୋଚନା କରାଗଲା । ମାଣ୍ଡିଆ ବିକ୍ରୟର ତିନି ଦିନ ଭିତରେ ଚାଷୀଙ୍କ ବିକ୍ରୟ ମୂଲ୍ୟ ସେମାନଙ୍କର ବ୍ୟାଙ୍କ ଖାତାକୁ ଟିଡ଼ିସିସିଓଏଲ ପ୍ରଦାନ କରିବେ । ଏହି ବୈଠକରେ ସମବାୟ ସମିତି ସମୂହର ଉପ-ନିବନ୍ଧକ, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ, ଆର୍.ଏମ.ସି. ସମ୍ପାଦକ, ଜିଲ୍ଲା ପରିଚାଳକ ଟିଡିସିସିଓଏଲ୍, ନାଫେଡ଼ ଓ ମାର୍କଫେଡର ପରିଚାଳକ, କୃଷି ବିଭାଗର ସମସ୍ତ ଅଧିକାରୀ, ବେସରକାରୀ ସଂଗଠନ ଏବଂ କୃଷକ ଉତ୍ପାଦକ ଗୋଷ୍ଠୀ ଗୁଡିକର ସଦସ୍ୟ ଯୋଗଦେଇଥିଲେ ।

Leave A Reply

Your email address will not be published.