ଜାନୁୟାରୀ ୨୨ରୁ ୨୬ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ପ୍ରଦିକ୍ଷଣ ଗୃହ (ସର୍କିଟ ହାଉସ) ସମ୍ମିଳନୀ ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ବିଧାୟକ ତଥା ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ଃ. ସର୍ବଣ ବିବେକ ଏମ୍., ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ , ବ୍ରହ୍ମପୁର ଉପ-ଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ବିଗତ ବର୍ଷ ଭଳି ଚଳିତ ବର୍ଷ ଏହି ମହୋତ୍ସବ ୫ଦିନ ପାଳିତ ହେବ । ଚଳିତ ଜାନୁଆରୀ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବରେ ପାଳନ କରାଯିବ ବୋଲି କୁହାଯାଇଛି । ଏଥିରେ ବିଭିନ୍ନ ପ୍ରତିଯୋଗିତାମାନ ସଂଗଠିତ କରିବା ପାଇଁ ସ୍ଥିର କରାଯାଇଛି । ଯେପରିକି, ଝୋଟି ପ୍ରତିଯୋଗିତା, ଆଲୋଚନା ଚକ୍ର, କବିତା ପାଠୋତ୍ସବ, ଭଲିବଲ୍, ଫୁଟବଲ, ବୋଟ ରେସିଂ ଇତ୍ୟାଦି ପ୍ରତିଯୋଗିତା ଆୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଶାମୁକା ସ୍ମରଣିକା ଉନ୍ମୋଚନ କରାଯିବ । ପ୍ରଥମେ ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତି ପ୍ରାଥମିକତା ଦିଆଯିବ ତାସହ ବିଭିନ୍ନ ଜିଲ୍ଲା, ରାଜ୍ୟ ଓ ଦେଶର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ । ଓଡିଆ, ତେଲୁଗୁ ଓ ହିନ୍ଦୀ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ପଲ୍ଲୀଶ୍ରୀ ମେଳା, ଖାଦ୍ୟ ମେଳା ଏବଂ ବିଭିନ୍ନ ଅନୁଷ୍ଠାନର ମେଳା ପ୍ରଦର୍ଶିତ ହେବ । ଓଡିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅତିଥି ନିମନ୍ତେ ଅନୁରୋଧ କରାଯିବ । ଗଞ୍ଜାମ ଜିଲ୍ଲାରର ବିଭିନ୍ନ ଶକ୍ତିପୀଠରୁ ମଶାଲ ଶୋଭାଯାତ୍ରା, ପଦଯାତ୍ରା ଓ ସମୁଦ୍ରରେ ଲେଜର ସୋ’ ଆୟୋଜନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ବିଭିନ୍ନ କମିଟି ଗଠନ କରି ଏହି ଉତ୍ସବ ପାଳନ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବକୁ କିଛି ନୂଆ ରୂପରେ ପାଳନ କରିବା ସହ ଲୋକଙ୍କ ନିମନ୍ତେ ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ସ୍ଥଳ, ଆଇନ ଶୃଙ୍ଖଳା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ୩୦୦ଟି ଷ୍ଟଲର ଆୟୋଜନ କରିବା ନିମନ୍ତେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନ ସଭ୍ୟସଭ୍ୟା ଓ ହୋଟେଲ ସଙ୍ଘର ସଭାପତି ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.