ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଳ ସଂପଦ ବିଭାଗ ତରଫରୁ ଆଗାମୀ ଜାନୁୟାରୀ ମାସ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଦେବଦତ୍ତ ରାୟ ମହାପାତ୍ର ପକ୍ଷ ପାଳନର ନୋଡାଲ ଅଧିକାରୀ ସଭା ପରିଚାଳନା କରିଥିଲେ । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକମାନ ବୃଦ୍ଧି ଆଦି ପରିପ୍ରେକ୍ଷୀରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଚଳିତ ବର୍ଷ ପାଣି ପଞ୍ଚାୟତ ପକ୍ଷ ଜାନୁୟାରୀ ୬ ତାରିଖରେ ସମସ୍ତ ଡିଭିଜନସ୍ତରରେ ଏବଂ ୧୩ରେ ଜିଲ୍ଲାସ୍ତରରେ ପାଳନ କରାଯିବ । ପାଣି ପଂଚାୟତର ଭୂମିକା ସଂପର୍କରେ ବାର୍ତ୍ତା ନେଇ ସଚେତନତା ରଥ ପରିକ୍ରମା କରିବ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଡିଭିଜନସ୍ତର ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ପେଣ୍ଟିଂ ଓ କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ସ୍ତରରେ ପ୍ରଦର୍ଶନୀ ଓ ପାଣି ପଂଚାୟତ ସମାବେଶମାନ ଆୟୋଜନ କରାଯିବ । ଏହାସହ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ମାଧ୍ୟମରେ ଜଳର ଉପଯୁକ୍ତ ବିନିଯୋଗ ନେଇ ସାମାଜିକ-ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ସଂପର୍କରେ ସଚେତନ କରାଯିବ । ପାଣି ପଂଚାୟତ ପୁନର୍ଗଠନ କରାଯାଇଥିବା ବେଳେ ଭୂତଳେ ପାଇପ୍ ଯୋଗେ ଜଳ ଯୋଗାଣ, ପାଣି ପଂଚାୟତଗୁଡିକର ଉନ୍ନତିକରଣ, ପାଣି ପଂଚାୟତ କର୍ମୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯାଇଛି । ଲୋକଙ୍କ ମଧ୍ୟରେ ପାଣି ପଂଚାୟତର ଗୁରୁତ୍ୱ, ପାଣି ପଂଚାୟତ ସଦସ୍ୟ/ସଦସ୍ୟାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଏବଂ ଜଳ ସଂପଦର ସୁରକ୍ଷା ଓ ପାଣି ପଂଚାୟତଗୁଡିକର କାର୍ଯ୍ୟକୁ ସହାୟତା କରୁଥିବା ସମସ୍ତ ସହଭାଗୀ ଅନୁଷ୍ଠାନର ସହଯୋଗରେ ଏହି ବାର୍ଷିକ ପାଣି ପଂଚାୟତ ପକ୍ଷ ପାଳନ କରାଯିବ । ଏହି ବୈଠକରେ ଜଳସମ୍ପଦର ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.