ଭୁବନେଶ୍ୱର : ଜିଲ୍ଲା ବ୍ରାହ୍ମଣ ମହାସଭାର ଶପଥ ପାଠ ପାଇଁ ପ୍ରସ୍ତୁତି ବୈଠକ ଶ୍ରୀନୃସିଂହ ମନ୍ଦିର ଠାରେ ସଭାପତି ପ୍ରାଣବଲ୍ଲଭ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ଜଗନ୍ନାଥ ଧାମ ପୁରୀ ଠାରେ ହୋଇଥିବା ତ୍ରୟିମାସିକ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିବା ସଦସ୍ୟ ଓ ସଦସ୍ୟାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଆସନ୍ତା ତା.୧୬.୧୧.୨୦୨୫ (ରବିବାର) ଦିନ ଘ.୧୧ ସମୟରେ ଜିଲ୍ଲା ବ୍ରାହ୍ମଣ ମହାସଭାର ନୂତନ କର୍ମକର୍ତ୍ତାଙ୍କର ଶପଥ ସମାରୋହ ଶ୍ରୀନୃସିଂହ ମନ୍ଦିର ପରିସରରେ ଆୟୋଜନ କରାଯିବ । ଏହି ଉତ୍ସବରେ ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ରାଜ୍ୟର କର୍ମକର୍ତ୍ତା ଓ ବିଭିନ୍ନ ଜିଲ୍ଲା ପ୍ରତିନିଧି ସମେତ ବଲାଙ୍ଗିର ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ସତ୍ୟନାରାୟଣ ଆଚାର୍ଯ୍ୟ ଡିନ୍, ପ୍ରଧ୍ୟାପକ ତିରୁପତି ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ସମ୍ମାନିତ ଅତିଥି ଭାବେ ଡ.ଦୈତାରୀ ପୁଜାରୀ, ଅଧ୍ୟାପକ ଛତାମଖନା ମହାବିଦ୍ୟାଳୟ ଓ ଡ.ଅଜିତ ଦାଶ, ଅଧ୍ୟାପକ ମହିଳା ମହାବିଦ୍ୟାଳୟ, ବଲାଙ୍ଗିର, ଅଶୋକ ମିଶ୍ର ପୂର୍ବତନ ପ୍ରଫେସର ଦେବଗଡ ମହାବିଦ୍ୟାଳୟ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ବଲାଙ୍ଗିର ସହରର ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଶ୍ରୀନିବାସ ଉଦ୍ଗାତା, ପଦ୍ମଶ୍ରୀ କବି ନୃସିଂହ ପ୍ରସାଦ ଗୁରୁ, ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ସମେତ ଅନେକ ପଣ୍ଡିତ ବିଦ୍ୱାନ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଉପରୋକ୍ତ କାର୍ଯ୍ୟ ସମ୍ପାଦନ ପାଇଁ ବିଭିନ୍ନ କମିଟି ଗୁଡିକ ଗଠନ କରାଯାଇ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବ୍ୟବସ୍ଥା ହୋଇଛି । ଏଣୁ ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁ ଉକ୍ତ ଦିନରେ ବିପୁଳ ସଂଖ୍ୟାରେ ଯୋଗଦାନ କରି ଜିଲ୍ଲା ବ୍ରାହ୍ମଣ ମହାସଭାକୁ ଏକ ଶସକ୍ତ ଓ ଦୃଢ ସମାଜ ଗଠନ କରିବାକୁ ସଭାପତି ଓ ସମ୍ପାଦକ ବିନମ୍ର ନିବେଦନ କରିଛନ୍ତି ।