ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁରର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ଵାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ଵରାଷ୍ଟ୍ର ମନ୍ତ୍ରୀ ଥିଲେ । ସେ ୫୬୦ ରାଜ୍ୟକୁ ଭାରତ ବର୍ଷରେ ମିଶାଇଥିଲେ । ସେହି ମହାପୁରୁଷଙ୍କ ୧୫୦ତମ ଜନ୍ମ ତିଥି ସୁନ୍ଦର ଭାବେ ପାଳନ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାଧାନ୍ୟ ଦେଇଛନ୍ତି । ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାକୁ କାର୍ଯ୍ୟକାରୀ କରିବାକୁ ହେଲେ ସମସ୍ତ ଯୁବ ବର୍ଗ ଏଥିରେ ସାମିଲ ହେବାକୁ ପଡିବ । ବିଶ୍ଵର ୧୯୫ ଦେଶ ମଧ୍ୟରେ ଅର୍ଥନୈତିକ କ୍ଷେତ୍ରରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ସ୍ୱଚ୍ଛ ଭାରତ, ବୃକ୍ଷ ରୋପଣ, ଏକ ଭାରତ, ଆତ୍ମ ନିର୍ଭର ଭାରତ ଉପସ୍ଥାପନ କରିବା ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ଉଦ୍ଦେଶ୍ୟ । ଗଞ୍ଜାମ ଜିଲ୍ଲା ଅର୍ଥନୈତିକ ଓ ସଂସ୍କୃତିକ କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଛି ବୋଲି ଡ.ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ମନୋଜ କୁମାର ମହାପାତ୍ର, ଆସ୍କା ସାଂସଦଙ୍କ ପ୍ରତିନିଧି ଯଜ୍ଞ ନାରାୟଣ ଦାଶ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣ ମାଧ୍ୟମର ପ୍ରତିନିଧିଗଣ ଉପସ୍ଥିତ ଥିଲେ । ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସମସ୍ତ ଜିଲ୍ଲାରେ ୩୧ ଅକ୍ଟୋବର ୨୦୨୫ ରୁ ୨୫ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହେବ । ପ୍ରତି ସଂସଦୀୟ କ୍ଷେତ୍ରରେ ୩ଟି ପଦଯାତ୍ରା ଅନୁଷ୍ଠିତ ହେବ । ଏହି ପଦଯାତ୍ରା ୮କିଲୋମିଟର ମଧ୍ୟରେ ଅନୁଷ୍ଠିତ ହେବ । ଆସ୍କା ସଂସଦୀୟ କ୍ଷେତ୍ରରେ ୩ଟି ପଦଯାତ୍ରା ଯଥା ଖଲିକୋଟ, କବିସୂର୍ଯ୍ୟନଗର ଓ ପୋଲସରାରେ ଅନୁଷ୍ଠିତ ହେବ । କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭଞ୍ଜନଗରଠାରେ ଏବଂ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବ୍ରହ୍ମପୁର ଓ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଜାତୀୟ ଏକତା ଉପରେ ପ୍ରବନ୍ଧ, ବକ୍ତୃତା, ପୋଷ୍ଟର, ସ୍ଲୋଗାନ ଲିଖନ, ଚିତ୍ରାଙ୍କନ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେବ ବୋଲି ଆଲୋଚିତ ହୋଇଛି ।