om academy

ବଲାଙ୍ଗିର ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବଲାଙ୍ଗି ଗସ୍ତ : କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଂଜ ବିହାରୀ ଧଳ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ବଲାଙ୍ଗିର ଜିଲ୍ଲାରେ ନୀତି ଆୟୋଗ ତରଫରୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ ସକାଶେ କ୍ଷେତ୍ର ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିଥିଲେ । ପୂର୍ବାହ୍ନରେ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ତୁଷୁରା ଏୟାର୍‌ ଷ୍ଟ୍ରିପ୍‌ରେ ଅବତରଣ କରିବା ପରେ ଦେଓଗାଁ ବ୍ଲକର ଗାଇବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୁଚେପାଲି ଗ୍ରାମକୁ ଯାଇ ସେଠାରେ ଓଡ଼ିଶା ଜୀବିକା ମିଶନ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଗ୍ରାହକ ସେବା କେନ୍ଦ୍ର ପରିଦର୍ଶନ କରିଥିଲେ । ପରେ ଗାଇବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରତନପୁର ଗ୍ରାମକୁ ଯାଇ ଛେଳି ପାଳନ କ୍ଲଷ୍ଟର, ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ମାଛ ଚାଷ, ଗୋଦାବରୀ ପ୍ରଡ୍ୟୁସର ଗୃପ ଦ୍ୱାରା କରାଯାଉଥିବା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ମା’ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ଛତୁ ଚାଷ କାର୍ଯ୍ୟକ୍ରମ ପରିଦର୍ଶନ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲି ଯାଇ ବୁଣାକାର ସମବାୟ ସମିତି ଓ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ । ଚୁଡ଼ାପାଲିରୁ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ଝାଙ୍କରପାଲି ଗ୍ରାମକୁ ଯାଇ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ କଷି ଓ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ଯଥା ବାସନା କିସମର ଧାନ ଚାଷ କରାଯାଇଥିବା ଧାନ କ୍ଷେତ, ଆମ୍ବ ବଗିଚା ଓ ପନିପରିବା ବଗିଚା ପରିଦର୍ଶନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ।

ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ପରିଦର୍ଶନ କରି ଆନୁସଙ୍ଗିକ ଭିତ୍ତିଭୂମି ସଂପର୍କରେ ବିଭାଗୀୟ ଅଧିକାରୀ ଓ ମେଡ଼ିକାଲ କଳେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନରେ ସେ ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ୫ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିକ୍ଷାଦାନ ବ୍ୟବସ୍ଥା, ଭିତ୍ତିଭୂମି, ମୋ ସ୍କୁଲ ଅଭିଯାନ ଇତ୍ୟାଦିର ରୂପରେଖ ସଂପର୍କରେ ଆଲୋଚନା କରିଥିଲେ । ପିଆର୍‌ ହାଇସ୍କୁଲ ପରିସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ଓ ଜିଲ୍ଲାପାଳ ଚଂଚଳ ରାଣା ବୃକ୍ଷରୋପଣ କରିଥିଲେ । ପରେ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ର, ଶିକ୍ଷା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଦକ୍ଷତା ବିକାଶ, ମୌଳିକ ଭିତ୍ତିଭୂମି କ୍ଷେତ୍ର, କୃଷି ଓ ଜଳସଂପଦ କ୍ଷେତ୍ର ସଂପର୍କରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ଏବଂ ଅଗ୍ରଗତି ସଂପର୍କରେ ସଂପୃକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ବୈଠକରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ରାଣାଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.