ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଡିଏଫ୍‌ଓ କାର୍ଯ୍ୟାଳୟର ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ଉପସଭାପତି ତଥା ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ନିର୍ବାହୀ ଅଧିକାରୀ-ତଥା-ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ । ଗୃହକୁ ସମ୍ବୋଧିତ କରି ଶ୍ରୀମତୀ ସାହୁ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାର ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ଵାରୋପ କରିଥିଲେ ଏବଂ ସରକାରଙ୍କ ଦ୍ଵାରା ପ୍ରଦତ୍ତ ମାନଦଣ୍ଡ ଏବଂ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଉପାସ୍ଥିତ ଥିବା ସଦସ୍ୟ ଓ ଅଧିକାରୀମାନଙ୍କୁ ଅଭାବି ଲୋକଙ୍କୁ ସେମାନଙ୍କର ସର୍ବୋତ୍ତମ ସେବା ପ୍ରଦାନ କରିବାକୁ ଆହ୍ଵାନ କରିବା ସହିତ ଆଶା ପ୍ରକାଶ କରିଥିଲେ ଯେ, ଗ୍ରାମାଞ୍ଚଳରେ ସଚେତନତା ଶିବିର ଆୟୋଜିତ କରି ପ୍ରଶାସନିକ ଅଧିକାରୀ, ଚିକିତ୍ସା ଅଧିକାରୀ ଏବଂ ପିଆର୍‌ଆଇ ସଦସ୍ୟଙ୍କ ମିଳିତ ପ୍ରୟାସ ଜିଲ୍ଲାର ସାମଗ୍ରିକ ସ୍ୱାସ୍ଥ୍ୟ ସେବା ପରିସ୍ଥିତିକୁ ଉନ୍ନତ କରିବାରେ ବହୁତ ସାହାଯ୍ୟ କରିପାରିବ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଭିତ୍ତିଭୂମିର ଉନ୍ନତି ପାଇଁ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଯଥା ସମ୍ଭବ ଶୀଘ୍ର ସମାପ୍ତ କରାଯିବା ଉପରେ ସଭାପତି ଏବଂ ଜିଲ୍ଲାପାଳ ଉଭୟେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ବୈଠକରେ ମ୍ୟାଲେରିଆ, ଡେଙ୍ଗୁ, ଲେପ୍ରୋସି, ଯକ୍ଷ୍ମା, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଛୋଟ ଶିଶୁ ମାନଙ୍କର ଗ୍ରହଣଖଣ୍ଡିଆ, ହୃଦ ସମସ୍ୟା, ଆୟୁଷ୍ମାନ କାର୍ଡ ସମ୍ବନ୍ଧୀୟ ଚାଲୁଥିବା ଯୋଜନା, ସଫଳତା ଏବଂ ପ୍ରସ୍ତାବ ଗୁଡିକ ଉପରେ ଏକ ଉପସ୍ଥାପନା ଓ ଆଲୋଚନା କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂତନ ଚିକିତ୍ସାଳୟ, ଜିଲ୍ଲାର ସମସ୍ତ ବ୍ଲକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପସ୍ୱାସ୍ଥ୍ୟ କେନ୍ଦ୍ର ସବୁଗୁଡ଼ିକର ନବ ନିର୍ମାଣ କୋଠା କିମ୍ବା ମରାମତି ସମସ୍ତ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ପ୍ରକଳ୍ପ ନିର୍ମାଣର ଅଗ୍ରଗତି, ସମସ୍ୟା, ଟେଣ୍ଡର ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇ, ବୈଠକରେ ଉପସ୍ଥିତ ଏନ୍‌.ଏଚ୍‌.ଏମ୍‌., ଆର୍‌.ଡି., ପି.ଡବ୍ଲ୍ୟୁ.ଡି., ଆଦି ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା । ସଂପୃକ୍ତ ଅଧିକାରୀମାନେ ଗୁରୁତ୍ୱର ସହ କାମ କରନ୍ତୁ ବୋଲି ଜିଲ୍ଲା ପରିଷଦ ସଭାପତି ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲାପାଳ ସ୍ୱାସ୍ଥ୍ୟସେବା ପ୍ରଦାନରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଆବାସିକ ବିଦ୍ୟାଳୟ ମାନଙ୍କରେ ଗୁଟକା, ପାନ ମସଲା ସମ୍ବନ୍ଧୀୟ ରୋଗ ବିଷୟରେ ଛାତ୍ରଙ୍କୁ ସଚେତନତା କରାଇବା, ଜିଲ୍ଲାରେ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନା ଗୁଡିକର ସଂପୂର୍ଣ୍ଣ ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଅଧିକ୍ଷକ, ଉପଖଣ୍ଡ ଚିକିତ୍ସାଳୟ ଓ ସିଏଚ୍‌ସିର ଚିକିତ୍ସାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.