
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ (ବଲାଙ୍ଗିର ଶାଖା)ର ମାସିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘ ସଭାପତି ଗୋବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା । ପ୍ରଥମେ ନୂତନ କର୍ମକର୍ତ୍ତା ଓ ଅନ୍ୟାନ୍ୟ ଉପସ୍ଥିତ ସଭ୍ୟମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ପୂର୍ବତନ ସଂପାଦକ ପୁରୁଷୋତ୍ତମ ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ନୂତନ ସଂପାଦକ କୃଷ୍ଣଚନ୍ଦ୍ର ନାଥଙ୍କୁ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଥିଲେ । ଉକ୍ତ ବୈଠକରେ ଜୁନ ମାସରେ ସଂଘର ବାର୍ଷିକ ସମ୍ମିଳନୀ କରିବା ପାଇଁ ଆଲୋଚନା କରାଯାଇଥିଲା । ଆଲୋଚନାରେ ଶ୍ୟାମସୁନ୍ଦର ଦାଶ, ପର୍ଶୁରାମ ନାୟକ, ହରେକୃଷ୍ଣ ପଟେଲ, ରାଧାକାନ୍ତ ସେଠ, ବନମାଳି ନନ୍ଦ, ଗୋପବନ୍ଧୁ ପୁରୋହିତ, ନରେନ୍ଦ୍ର କବାଟ, ବୈକୁଣ୍ଠ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭା ଶେଷରେ ସହ ସଂପାଦକ ଚୈତନ୍ୟ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।