ସାଉନ୍ତପୁର ସ୍କୁଲରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ସୂରଜମଲ ସରକାରୀ ଉଚ୍ଚ ବିଦ୍ୟାଳୟ,ସାଉନ୍ତପୁର ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ସୁନାଙ୍କ ତତ୍ତ୍ୱାବଧାନରେ ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଯୋଗଦେଇଥିଲେ । ଆଯୋଜକ ବିଦ୍ୟାଳୟର ଶିକ୍ଷକ ମହେଶ ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ । ବିଲେଇସର୍ଡା ସ୍କୁଲର ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁ, ଛତାମଖନା ସ୍କୁଲର ପ୍ରଧାନ ଶିକ୍ଷକ ନୀଳମଣି ପଟେଲ, ଜାମଗାଁ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁ, ଭାଲେର ସ୍କୁଲର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଗୁରୁ ମଂଚାସୀନ ଥିଲେ । ବୁବେଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଗିରିଜା ବାଙ୍କି ବିଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅପାର ଆଇଡି, ଏଲ୍‌ଇପି, ଉତ୍କର୍ଷ, ୟୁଡାଇସ ପ୍ଲସ, ଖାନ ଏକାଡେମୀ, ପଞ୍ଚସଖା ଶିକ୍ଷା ସେତୁରେ ସଭ୍ୟ ସଂଖା ବୃଦ୍ଧି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଏସ୍ଆଇଓଏସ୍‌ରେ ନାମଲେଖା, ବିଦ୍ୟାଳୟରେ ନିରାପତ୍ତା, ଗ୍ରୀଷ୍ମକାଳ ପାଇଁ ବିଦ୍ୟାଳୟର ସୁବ୍ୟବସ୍ଥା, ଏଫ୍‌ଏଲ୍‌ଏନ୍‌ ଶ୍ରେଣୀରେ ଉତ୍ତମ ଶିକ୍ଷାଦାନ, ଅଭିଭାବକଙ୍କ ସହ ସୁସମ୍ପର୍କ ସ୍ଥାପନ, ପ୍ରଥମ ନାମଲେଖା ବେଳେ ବିଦ୍ୟାର୍ଥୀଙ୍କ ଜନ୍ମ ପ୍ରମାଣ ପତ୍ର ଉପରେ ଗୁରୁତ୍ୱ ପ୍ରଦାନ, ଶ୍ରେଣୀ ପ୍ରକୋଷ୍ଠରେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ ତଦାରଖ, ଅନୁପସ୍ଥିତ ଛାତ୍ରଛାତ୍ରୀମାନଙ୍କ ନିୟମିତ ଉପସ୍ଥାନକୁ ସୁନିଶ୍ଚିତ କରିବା, ନିୟମାନୁସାରେ ଛୁଟିପାଇଁ ଆବେଦନ, ଚଳିତ ମ୍ୟାଟ୍ରିକ ପରୀକ୍ଷା ପାଇଁ ଶୃଙ୍ଖଳିତ ପଦକ୍ଷେପ, ଜାତୀୟ ଶିକ୍ଷାନୀତି – ୨୦୨୦ ବିଷୟ ଉପରେ ମିଳିତ ଭାବେ ଆଲୋଚନା କରିଥିଲେ । ସଭାପରେ ସମସ୍ତ ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀମାନେ ଶ୍ରେଣୀଗୃହ, ବିଜ୍ଞାନାଗାର, ଇ-ପାଠାଗାର, ଶୌଚାଳୟ ଏବଂ ବିଦ୍ୟାଳୟର ପରିବେଶ ପରିଦର୍ଶନ କରିବା ସହିତ ଶିକ୍ଷକଙ୍କ ଶିକ୍ଷା ପ୍ରଣାଳୀ ଅନୁଧ୍ୟାନ ଏବଂ ଛାତ୍ର ଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ୨୪ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.