jayashree

ଜିଲ୍ଲା ରକ୍ତ ଭଣ୍ଡାରରେ ଧାର୍ଯ୍ୟ ରକ୍ତ ୟୁନିଟ ସଂଗ୍ରହକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଶା ରକ୍ତ କେନ୍ଦ୍ର ପୁରୀ ଜିଲ୍ଲା ଶାଖା ତରଫରୁ ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତ ୟୁନିଟ ସଂଗ୍ରହ ସଂକ୍ରାନ୍ତୀୟ ଏକ ସମ୍ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ସି.ଡି.ଏମ୍‌.ଓ ରୂପଭାନୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଡି.ଏମ୍‌.ଓ ପବିତ୍ର ମୋହନ ମଲ୍ଲିକ, ଡି.ପି.ଏମ୍‌.ଟି. ନାରାୟଣ ରାଓ , ବି.ବି.ଓ ଡଃ.ଦୀପକ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ରକ୍ତ ଭଣ୍ଡାରରେ ବାର୍ଷିକ ଧାର୍ଯ୍ୟ ରକ୍ତ ୟୁନିଟ ସଂଗ୍ରହ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ପ୍ରାଥମିକତା ଦିଆଯାଇଥିଲା । ଏଥି ନିମନ୍ତେ ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଗ୍ରଣୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା । ଉପସ୍ଥିତ କର୍ମକର୍ତ୍ତା ମାନେ ଆଗାମୀ ଦିନରେ ଟୋକନ ବ୍ୟବସ୍ଥାର ପୁନଃ ପ୍ରଚଳନ ସହ ଏକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ବ୍ୟବସ୍ଥା ପାଇଁ ଉପସ୍ଥିତ ପଦାଧିକାରୀଙ୍କ ନିକଟରେ ମିଳିତ ମୌଖିକ ପ୍ରସ୍ତାବ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରକ୍ତଦାନ ସହ ଜଡ଼ିତ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଧାରଣତଃ ଗ୍ରୀଷ୍ମ ମାସ ଗୁଡ଼ିକରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖା ଯାଇଥାଏ । ଚଳିତ ବର୍ଷ ଏହି ସମୟରେ ବ୍ୟକ୍ତିଗତ ଭାବେ ସର୍ବାଧିକ ରକ୍ତଦାନ ଶିବିର ଆୟୋଜନ ଓ ରକ୍ତ ୟୁନିଟ ସଂଗ୍ରହ ପାଇଁ ଯୁବ ସମାଜସେବୀ ପଦ୍ମ ଲୋଚନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆନୁଷ୍ଠାନିକ ଭାବେ ଅଗ୍ରଣୀ ସେବା ଅନୁଷ୍ଠାନ ସମର୍ପଣର ଶ୍ରୀମତୀ ଜୟନ୍ତୀ ମହାପାତ୍ର, ସାହିଭାଇର ଚନ୍ଦ୍ରଶେଖର ମିଶ୍ର, ସତ୍ୟବାଦୀ ସେବା ଟ୍ରଷ୍ଟର ସୁଶାନ୍ତ ରଥ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ତିମ ପର୍ଯ୍ୟାୟରେ ରକ୍ତ ଭଣ୍ଡାରର ସଂଯୋଜକ ପ୍ରିତିରଞ୍ଜନ ନାୟକ ଆଗାମୀ ବର୍ଷ ପାଇଁ ଶିବିର ଖସଡ଼ା ପ୍ରସ୍ତୁତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.