ମୁରିବାହାଲ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ସିରୋଲ ହାଇସ୍କୁଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

  • ଆସନ୍ତା ନଭେମ୍ବର ୯ ରେ ସିରୋଲ ହାଇସ୍କୁଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ବିଜ୍ଞାନ ସମାଜ ଆବାହକ ତଥା ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁନୀଲ କୁମାର ପାତ୍ର, ବ୍ଲକ ବିଜ୍ଞାନ ସମାଜ ସଂଯୋଜକ ଦିଗନ୍ତ ମେହେର, ସିରୋଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ରଣା,ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାଏକ, ଦେବଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାମରତନ ମେହେର ପ୍ରମୁଖ ମଞ୍ଚାସୀନ ହୋଇ ଆଗାମୀ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜନର ରୂପରେଖ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଚଳିତବର୍ଷ ଏହି ମେଳା ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଆସନ୍ତା ତା. ୦୯/୧୧/୨୪ ଦିନ ଆୟୋଜନ କରିବା ପାଇଁ ନୀତିଗତ ନିଷ୍ପତି ନିଆଯାଇ ବିଭିନ୍ନ ସବକମିଟି ଗଠନ ସହ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ବ୍ଲକ ଅଞ୍ଚଳର ସମସ୍ତ ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିବା ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ନିଜ ନିଜ ପ୍ରକଳ୍ପ ସହ ଏହି ବାଳ ବୈଜ୍ଞାନିକ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ବିଜ୍ଞାନ ପ୍ରତି ଆକର୍ଷିତ ହୋଇପାରିବେ ସେଥିପ୍ରତି ସମସ୍ତ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ଯତ୍ନବାନ ହେବାକୁ ଗୁରୁତ୍ୱପ୍ରଦାନ କରାଯାଇଥିଲା । ଏହି ବୈଠକରେ ମୁରିବାହାଲ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ବିଜ୍ଞାନ ଶିକ୍ଷକ ଯୋଗଦେଇଥିଲେ । ଶିକ୍ଷକ ଲିଲୁମୋହନ ପଧାନ, ବିନୋଦ କୁମାର ବାରିକ, ସତ୍ୟ କୁମ୍ଭାର, ଯୋଗେନ୍ଦ୍ର ଆଡ଼ଯୁଆଡ଼, ଉମେଶ ବିଶ୍ୱାଳ, ମୋତିରାମ ମାଝୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.