
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସମନ୍ଵୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଫିସରେ ଅନୁଷ୍ଠିତ ହୋଇଛି । ଜିଲ୍ଲାର ୬୦ରୁ ୭୫ ବର୍ଷ ପର୍ଯ୍ୟନ୍ତ ନାଗରିକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ତୀର୍ଥ କରିବାର ସୁଯୋଗ ମିଳିବ । ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୦୬ ତାରିଖରୁ ୧୧ ତାରିଖ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଗାମୀ ଫେବୃଆରୀ ୧୯ ତାରିଖରୁ ୨୪ ତାରିଖ ଏହି ତୀର୍ଥ ଯାତ୍ରା ହେବ । ଜିଲ୍ଲାରୁ ୧୭୭ ଜଣ ଲେଖାଏଁ ଦୁଇଟି ପର୍ଯ୍ୟୟରେ ସମୁଦାୟ ୩୫୪ ଜଣଙ୍କୁ ଏହି ସୁଯୋଗ ମିଳିବ । ପ୍ରତ୍ୟେକ ଯାତ୍ରୀଙ୍କ ପଛରେ ସରକାର ୧୬୮୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ । ତୀର୍ଥ ପୂର୍ବରୁ ମୁଖ୍ୟ ଚିକିତ୍ସାଧିକାରୀ ତତ୍ଵାବଧାନରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟ କିଟ୍ ବଣ୍ଟାଯିବ । ତୀର୍ଥ ଯାତ୍ରୀଙ୍କୁ ପୋଲିସ ପକ୍ଷରୁ ଉପଯୁକ୍ତ ପେଟ୍ରୋଲିଂ କରାଇ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନଭେମ୍ବର ୧୦ରେ ଏହାର ପଞ୍ଜିକରଣ ସରୁଥିବା ବେଳେ ଉଭୟ ଅନଲାଇନ ଓ ଅଫ୍ଲାଇନରେ ବରିଷ୍ଠ ନାଗରିକମାନେ ନିଜକୁ ପଞ୍ଜିକୃତ କରାଇଛନ୍ତି । ୨୦୧୬ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟରୁ କୋଡିଏ ହଜାରରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହୋଇଛନ୍ତି । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା କ୍ରିଡାଧିକାରୀ ପରାଶର ବାଗ, କ୍ଷେତ୍ରୀୟ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଡିଆଇପିଆର୍ଓ ସରୋଜ କୁମାର ସାହୁ ଆଦି ଉପସ୍ଥିତ ଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ସହକାରୀ ନିର୍ଦ୍ଦେଶକ ରବିନ୍ଦ୍ର ଦଳେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।