ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ପରିସରରେ ସଭାନେତ୍ରୀ ଅର୍ପିତା ପଣ୍ଡାଙ୍କ ସଭାପତିତ୍ୱରେ ଗାଇସିଲେଟ ବ୍ଲକ୍ ସରପଞ୍ଚ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଆଦିତ୍ୟ ଗୋୟଲ୍ ଯୋଗ ଦେଇଥିଲେ । ସରପଞ୍ଚମାନେ ଶ୍ରୀ ଗୋୟଲ୍ଙ୍କୁ ୨ ଜଣ କନିଷ୍ଠ ଯନ୍ତ୍ରୀ ବ୍ଲକ୍ରେ ନିଯୁକ୍ତି କରିବା ପାଇଁ ଏବଂ ମନରେଗା ଯୋଜନାରେ ଉନ୍ନୟନମୂଳକ କାମ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିବା ବେଳେ ଖୁବ ଶୀଘ୍ର ଏହାର ସମାଧାନ କରିବା ପାଇଁ ଶ୍ରୀ ଗୋୟଲ୍ ପ୍ରତିଶ୍ରୁତି ଦେଇଥିଲେ । ପରେ ଗାଇସିଲେଟ ବିଡିଓ ମନୋଜ ଦେବତା ଏବଂ ବ୍ଲକ୍ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲ୍ଲାପରିଷଦ ସଭ୍ୟ ନୀଳମଣି ବରିହା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦିଲ୍ଲିପ ମୁନି ଯୋଗ ଦେଇଥିଲେ । ସରପଞ୍ଚମାନେ ନିଜ ନିଜ ଗ୍ରାମ ପଞ୍ଚାୟତରେ ଥିବା ସମସ୍ୟା ବିଷୟରେ ତଥା ପ୍ରାଥମିକ ସ୍କୁଲ ଗୁଡ଼ାକ ଅତି ଦୟନୀୟ ପରିସ୍ଥିତି ହୋଇ ପଡ଼ିଥିବାରୁ ମରାମତି ଏବଂ ନୂତନ ଶ୍ରେଣୀ କୋଠରୀ କିପରି ହୋଇ ପାରିବ, ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତାରୁ ବଞ୍ଚିତ ଥିବା ଲୋକଙ୍କୁ କେମିତି ସାମିଲ କରାଯିବ । ରାସନ କାର୍ଡରୁ ବଞ୍ଚିତ ଥିବା ଲୋକମାନଙ୍କୁ ରାସନ କାର୍ଡ ଯୋଗାଇଦେବା, ଗାଇସିଲେଟ ବ୍ଲକରେ ୧୯ଟି ଗ୍ରାମପଞ୍ଚାୟତରେ ମାତ୍ର ୪ ଜଣ କନିଷ୍ଠ ଯନ୍ତ୍ରୀ ଏବଂ ୯ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ କୌଣସି କାର୍ଯ୍ୟ ଠିକ୍ ଭାବରେ ହେଉ ନଥିବା ପାଇଁ ଲୋକମାନଙ୍କ କୌଣସି ସମସ୍ୟାର ସମାଧାନ ହେଉନାହିଁ ବୋଲି ଅଭିଯୋଗ କରିଥିଲେ । ତେଣୁ ଏ ସବୁ ସମସ୍ୟାର ସମାଧାନ ପାଇଁ ବ୍ଲକ ଅଧ୍ୟକ୍ଷ ଏବଂ ବିଡିଓ ପ୍ରତିଶ୍ରୁତି ଦେଇଥିବା ବେଳେ ଛୁଟି ଦିନରେ ବି ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଗାଇସିଲେଟ ବିଡିଓ ବ୍ଲକ ଅଧ୍ୟକ୍ଷ ଏବଂ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ବରିହା ଯୋଗ ଦେଇଥିବାରୁ ସରପଞ୍ଚ ସଂଘ୍ ଧନ୍ୟବାଦ୍ ଜଣାଇଥିଲେ ।