ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ୨୩ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମହାମହିମ ସିରିଲ୍ ରାମାଫୋସାଙ୍କୁ ସାକ୍ଷାତ କରିଛନ୍ତି ।
ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ପ୍ରତିରକ୍ଷା, କୃଷି, ବାଣିଜ୍ୟ ଓ ପୁଞ୍ଜି ନିବେଶ, ସ୍ୱାସ୍ଥ୍ୟ, ସଂରକ୍ଷଣ ଏବଂ ଲୋକ ମାନଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ଅଗ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ।
ଉଭୟ ପକ୍ଷ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗରେ ନିରନ୍ତର ସମନ୍ୱୟ ଉପରେ ମଧ୍ୟ ମତ ବିନିମୟ କରିଥିଲେ । ରାଷ୍ଟ୍ରପତି ରାମାଫୋସା ଭାରତର ଜି- ୨୦ ଅଧ୍ୟକ୍ଷତାକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଆଫ୍ରିକୀୟ ସଂଘକୁ ଜି- ୨୦ର ପୂର୍ଣ୍ଣ ସଦସ୍ୟତା ଦେବା ପାଇଁ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଜି- ୨୦ ଶିଖର ସମ୍ମିଳନୀ ପାଇଁ ସେ ନୂଆଦିଲ୍ଲୀ ଗସ୍ତ କରିବା ନିମନ୍ତେ ଆଗ୍ରହୀ ବୋଲି ପ୍ରକାଶ କରିଥିଲେ ।
ବ୍ରିକ୍ସ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାମାଫୋସାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପାରସ୍ପରିକ ସୁବିଧାଜନକ ତାରିଖରେ ଏକ ସରକାରୀ ଗସ୍ତରେ ଦକ୍ଷିଣ ଆଫ୍ରିକା ଯିବା ପାଇଁ ରାଷ୍ଟ୍ରପତି ରାମାଫୋସାଙ୍କ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିଲେ ।