- ୟୁସିସିକୁ ସମର୍ଥନ ଓ ୨ଟି ସନ୍ତାନ ନିୟମ ପାଇଁ ଦାବୀ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ବଲାଙ୍ଗିର ଜିଲ୍ଲାସଭାପତି ଶ୍ରୀମତି ପ୍ରେମ ମଞ୍ଜରୀ ସିଂହଦେଓଙ୍କ ସଭାପତିତ୍ୱ ଓ ରାଜ୍ୟ ସଂଯୋଜକ ବଳଦେବ ପ୍ରସାଦ ବେଦବାକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଚିତ୍ରକୁଟର ରାଷ୍ଟ୍ରୀୟବାଦ ପ୍ରଚାରକ ସ୍ୱାମୀ ସୀତାରାମ ଶରଣ, ସମ୍ମାନୀତ ଅତିଥି ଭାବରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ସଭାପତି ବିପିନ ବିହାରୀ ଦାସ, ବରିଷ୍ଠ ବିଜେପି ନେତା ଅନନ୍ତ ଦାସ, ବଳରାମସିଂ ଯାଦବ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ସଂପ୍ରତି ଦେଶରେ ସମାନସଂଘିତା(ୟୁସିସି)ବିଲକୁ ନେଇ ଯେଉଁ ଆଲୋଚନା ଆରମ୍ଭ ହୋଇଛି ତାହାକୁ ବୈଠକରେ ସମର୍ଥନ କରାଯାଇଥିଲା । ଏହା ଫଳରେ ଦେଶରେ ସମସ୍ତେ ସମାନ ସାମ୍ବିଧାନିକ ଅଧିକାର ପାଇବେ ବୋଲି ମତପ୍ରକାଶ ପାଇଥିଲା । ସେହିପରି ଆସନ୍ତା ବିଶ୍ୱ ଜନସଂଖ୍ୟା ଦିବସରେ ଦେଶରେ ସମସ୍ତେ ଜାତିଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦୁଇଟି ସନ୍ତାନ ପଲିସି ନିୟମ ଲାଗୁ କରିବାକୁ ଦାବୀ କରାଯାଇଥିଲା । ଏହି ନିୟମ ଲାଗୁ କରୁବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଫାଉଣ୍ଡେସନ ତରଫରୁ ୫କୋଟି ଦସ୍ତଖତ ସମ୍ବଳିତ ଏକ ଦାବୀପତ୍ର ପ୍ରେରଣ କରିବାକୁ ଆଲୋଚନା କରାଯାଇଥିଲା । ସ୍ୱାମୀଜୀ ତାଙ୍କ ବକ୍ତବ୍ୟରେ ଭାରତରେ ହିନ୍ଦୁତ୍ୱର ସୁରକ୍ଷା କରିବା ତଥା ସମସ୍ତଙ୍କ ପାଇଁ ସମାନ ଆଇନ ବ୍ୟବସ୍ଥା କରିବାକୁ ସମସ୍ତେ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ବୈଠକରେ ଧର୍ମନିରଂଜନ ପଣ୍ଡା, ସୋନପୁର ଜିଲ୍ଲା ସଂଯୋଜକ କେଦାର ଦାସ, ଅନୀଳ ପାଣିଗ୍ରାହୀ, ବ୍ୟାସଦେବ ମିଶ୍ର, ସୁରେଶ ପାତ୍ର, ସୋନପୁର ମହିଳା ମୋର୍ଚ୍ଚା ସଭନେତ୍ରୀ ପୂର୍ଣ୍ଣିମା ସା, ରାଜ୍ୟ ମହିଳା ସଂପାଦିକା ସୁନନ୍ଦା ସାହୁ, ବଲାଙ୍ଗିର ଜିଲ୍ଲା ସୋସିଆଲ ମିଡିଆର ସମରେଶ ମିଶ୍ର, ଜିଲ୍ଲା ସଂପାଦକ ରାଜୁ ଜୟସ୍ୱାଲ, ଅନିରୁଦ୍ଧ ଦଳବେହେରା, ବରଗଡର ରାଧେଶ୍ୟାମ ଦଣ୍ଡସେନା, ପଦ୍ମପୁର ସାଂଗଠିନିକ ଜିଲ୍ଲା ସଭାପତି କେସବଚନ୍ଦ୍ର ଜାଲ, ସଂପାଦକ ରହିମ ମେହେର ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଯୋଗଦେଇଥିଲେ ।