ଦିଶା ବୈଠକରେ ନରସିଂହ

  • ଯୋଜନାଗୁଡିକର ପାରଦର୍ଶିତା, ଗୁଣବତ୍ତା ଓ କାର୍ଯ୍ୟାନ୍ୱୟନକୁ ନେଇ କଲେ ପ୍ରଶ୍ନ
  • ଲଢ଼େଇ କରି ଅଣାଯାଉଥିବା ଅନୁଦାନ ଫେରିଯିବା ଦୁର୍ଭାଗ୍ୟଜନକ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ବିଭିନ୍ନ ଯୋଜନାଗୁଡିକର କାର୍ଯ୍ୟାନ୍ୱୟନକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ସରକାରଙ୍କ ଠାରେ ଲଢେଇ କରି ଅଣାଯାଉଥିବା ବିଭିନ୍ନ ଅନୁଦାନ ଅଧିକାରୀମାନଙ୍କ ଅପାରଗତା ତଥା ସମ୍ବେଦନଶୀଳହୀନତା ଯୋଗୁଁ ଅନୁଦାନ ଫେରିଯାଉଛି । ଯେପରିକି ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ସହର ମଧ୍ୟରେ ଥିବା ତିନୋଟି ଜଳାଶୟ ଅନେକ ପୂର୍ବରୁ ଅନୁଦାନ ଆସିଥିଲା । କିନ୍ତୁ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗର ଅବହେଳା ଓ ଅପାରଗତା ଯୋଗୁଁ ମହାରାଣୀ ସାଗର, ଗେଟସରୋବର ଏବଂ ବେହେରାପାଲି ବନ୍ଧର କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେବା ଯୋଗୁଁ ଅନୁଦାନ ଫେରିଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଲୋକଙ୍କ ପାଇଁ ଆସିଥିବା ଅନୁଦାନ ଅଧିକାରୀଙ୍କ ଅବହେଳା ଯୋଗୁଁ ଫେରିଯିବା ଏହା ପ୍ରଥମ ଘଟଣା ନୁହେଁ । ଏହାର ଜବାବ କିଏ ଦେବ ଓ ଦାୟୀ କିଏ ରହିବ ବୋଲି ଆଜି ଉନ୍ନୟନ, ସମନ୍ୱୟ ଓ ତଦାରଖ କମିଟି ବୈଠକରେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ପ୍ରତିକ୍ରିୟା ଦେଇଛନ୍ତି । ବୈଠକରେ ଯୋଗଦେଇ ଶ୍ରୀ ମିଶ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ହେଉଥିବା ରାସ୍ତା ଗୁଡିକ ଅତି ନିମ୍ନ ମାନର ବୋଲି କହିବା ସହ ଏହାର ଏକ ତଦନ୍ତ କମିଟି ଗଠନ ପାଇଁ ଗୃହ ସୁପାରିଶ କରୁ ବୋଲି କହିଥିଲେ । ଠିକ୍ ସେହିପରି ପ୍ରଧାନମନ୍ତ୍ରୀ ଯୋଜନାରେ ମଧ୍ୟ ଯୋଗ୍ୟ ହିତାଧିକାରୀମାନେ ବାଦ୍ ପଡୁଥିବାରୁ ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯେପରି କୌଣସି ଗୋଟିଏ ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହେବେ ଜିଲ୍ଲାରୁ ରାଜ୍ୟକୁ ଲେଖାଯାଉ ବୋଲି ପ୍ରସ୍ତାବ ଦେଇଥିଲେ । ଆଲୋଚନା ସମୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅର୍ଥ ଆସି ଖର୍ଚ୍ଚ ନହୋଇପାରି ଫେରି ଯାଇଥିବା ଜଣାପଡିଥିଲା । ଏଥିରେ ମୁଖ୍ୟତଃ ଜନ ପ୍ରତିନିଧିମାନଙ୍କୁ ଅନ୍ଧାରରେ ରଖାଯାଉଛି ବୋଲି ବିଧାୟକ ଶ୍ରୀ ମିଶ୍ର କହିବା ସହ ସରକାରଙ୍କ ଦ୍ୱାରା ପ୍ରଣୟନ ଯୋଜନାର ଲାଭ ଲୋକଙ୍କ ପାଖକୁ ପହଞ୍ଚୁ ନଥିବା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.