ଟିଟିଲାଗଡ, (ଗୌରବ ଦର୍ଜୀ) : କରୋନା କଟକଣାକୁ ନେଇ ଅନେକ ଦିନରୁ ଧାର୍ମିକନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା । କରୋନା ମହାମାରୀର ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାର ଧାର୍ମିକନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଉପଖଣ୍ଡର ସମସ୍ତ ଧାର୍ମିକନୁଷ୍ଠାନଗୁଡିକୁ ଖୋଲିବା ପାଇଁ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପଖଣ୍ଡର ସମସ୍ତ ଧାର୍ମିକନୁଷ୍ଠାନର ସଦସ୍ୟଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ । ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଟିଟିଲାଗଡ ସହରର ବିଭିନ୍ନ ମନ୍ଦିରର ପୂଜକ, ସେବାୟତ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟ ଉପସ୍ଥିତ ଥିଲେ । ମନ୍ଦିର ଗୁଡ଼ିକ ଖୋଲିବାକୁ ନେଇ ଆଲୋଚନା କରିଥିଲେ । ମନ୍ଦିର ଗୁଡ଼ିକୁ ଖୋଲା ଗଲେ କେଉଁ କେଉଁ ପଦକ୍ଷେପ ଗୁଡ଼ିକ ଅନୁସରଣ କରିବାକୁ ପଡ଼ିବ ବୋଲି ଉପଜିଲ୍ଲାପାଳ ପରାମର୍ଶ ମାଗିଥିଲେ । ମନ୍ଦିରର ପୂଜକ ଓ ସେବାୟତ ମାନେ ମନ୍ଦିର ଖୋଲିଗଲେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ତାହା ଜଣାଇବା ସହ ତାର ସମାଧାନ ଉପରେ ମଧ୍ୟ ଆଲୋଚନା କରିଥିଲେ । ପରିଶେଷରେ ଏହା ନିଷ୍ପତ୍ତି ନିଆଯାଇଥିଲା ଯେ, ସହରର ସମସ୍ତ ମନ୍ଦିର ଖୋଲାଯିବା । ସହରରେ ଥିବା ତିନୋଟି ମୁଖ୍ୟ ମନ୍ଦିର ଯଥା କୁମୁଡ଼ା ପାହାଡରେ ଥିବା ମହାଦେବ ମନ୍ଦିର, ସହର ମଝିରେ ଥିବା ଜଗନ୍ନାଥ ମନ୍ଦିର ଓ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାସୁନି ମନ୍ଦିରରେ ପ୍ରବଳ ଭିଡ଼ ହୋଇଥାଏ । ଅନ୍ୟାନ୍ୟ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ମାତ୍ରାଧିକ ପରିଲକ୍ଷିତ ହୁଏନାହିଁ । ଏହି ଏହି ତିନୋଟି ମନ୍ଦିରରେ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ପାଇଁ ମନ୍ଦିରର ସ୍ଵେଚ୍ଛାସେବୀ, ପୋଲିସ ପ୍ରଶାସନର ସହାୟତା ନେବାକୁ ପଡିବ । କୋଭିଡ-୧୯ର ସମସ୍ତ ନିୟମକୁ ଅନୁସରଣ କରି ମାସ୍କ, ସାନିଟାଇଜରର ବ୍ୟବହାର ସହିତ ସାମାଜିକ ଦୂରତା ରକ୍ଷା କରାଯିବା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଶ୍ରାବଣ ମାସ ମଧ୍ୟରେ ପ୍ରତି ସୋମବାର ଦିନ ଶିବ ମନ୍ଦିର ଭିଡ଼ ହେଉଥିବାରୁ ସେଠାରେ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୁତୟନ କରିବାକୁ ଉପଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଏହା ସହ ମଙ୍ଗଳବାର ଦିନ ସକାଳେ ଓ ସନ୍ଧ୍ୟାରେ ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାସୁନିଙ୍କ ମନ୍ଦିର ଭିଡ଼ ରହୁଥିବାରୁ ସେଠାରେ ମଧ୍ୟ ପୋଲିସ ମୁତୟନ କରିବା ପାଇଁ ନିବେଦନ କରିଥିଲେ । ଏହା ସହ ବାହାର ଜିଲ୍ଲାର ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ମନା କରିଥିଲେ ଉପଜିଲ୍ଲାପାଳ । ମାସ୍କ ପିନ୍ଧି ନଥିବା ବ୍ୟକ୍ତି ମାନଙ୍କୁ ମନ୍ଦିରରେ ପ୍ରବେଶ ନକରିବାକୁ କହିଥିଲେ । କରୋନା ଟୀକା ନେଇଥିବା ବ୍ୟକ୍ତି ମାନେ ନିଜ ନିଜ ଟୀକା ସାର୍ଟିଫିକେଟ ଦେଖାଇ ମନ୍ଦିରକୁ ପ୍ରବେଶ କରିପାରିବେ । ମନ୍ଦିରର ଗର୍ଭ ଗୃହ ଭିତରେ ଭକ୍ତ କେବଳ ଭଗବାନଙ୍କୁ ଦର୍ଶନ କରିପାରିବେ ଏହା ବ୍ୟତୀତ ଧୂପ ଏବଂ ଦୀପ ଗର୍ଭ ଗୃହ ବାହାରେ ଲଗାଇ ପାରିବେ । ଏହା ବ୍ୟତୀତ ମନ୍ଦିର ପରିସରରେ ଭକ୍ତ ଅଧିକ ସମୟ ଯେପରି ନ ରହିବେ ସେଥିପ୍ରତି ମନ୍ଦିର ଟ୍ରଷ୍ଟ ଧ୍ୟାନ ଦେବେ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ ମନ୍ଦିରଗୁଡ଼ିକ ଖୋଲାଯାଇ ପାରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଆଜିର ଏହି ବୈଠକରେ ଶିବ ମନ୍ଦିର ସେବା ଟ୍ରଷ୍ଟ, ଜଗନ୍ନାଥ ମନ୍ଦିର ସେବାୟତ ଟ୍ରଷ୍ଟ, ଶିରିଡ଼ି ସାଇ ସେବା ସଦନର ସଦସ୍ୟ ଓ ବିଭିନ୍ନ ମନ୍ଦିରର ପୂଜକ ଓ ସେବାୟତ ମାନେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭବାନୀ ହୋତା, ସନତ କୁମାର ପାଢ଼ୀ, କମ୍ଭୁ ପାଢ଼ୀ, ସଞ୍ଜୀବ ପାଢ଼ୀ, କୃଷ୍ଣ ପାତ୍ର, ଶରତ ମିଶ୍ର, ଜଗଦୀଶ ଜୈନ, ଅଙ୍କୁର ଅଗ୍ରୱାଲ, ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post
Next Post