ବଲାଙ୍ଗିରଠାରେ ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା ବୈଠକ

  • ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଏଡ୍‌ ଏଟ୍‌ ଏକ୍ସନ ଓ ୟୁନିସେଫ୍‌ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ବୈଠକ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଉଦ୍‌ବୋଧନ ଦେଇ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ସଂଗଠିତ ଭାବେ ସବୁ ସ୍ତରରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହ ଏଥିନିମନ୍ତେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ କରିଥିଲେ । ବୈଠକରେ ଡେପୁଟି କଲେକ୍ଟର ଶୁଭସ୍ମିତା ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୀଳାବତୀ ନାଗ, ଡିଏସ୍‌ପି, ଏଚ୍‌ଆର୍‌ପିସି ସସ୍ମିତା ବାରିକ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଶ୍ରମ ନିରୀକ୍ଷକ, ବଲାଙ୍ଗିର ଚାମ୍ବର ଅଫ୍‌ କମର୍ସର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ, ସମ୍ପାଦକ କିଶୋର କୁମାର ରଥ, ବଲାଙ୍ଗିର ଟେଣ୍ଟ ହାଉସ ଏସୋସିଏସନ୍‌ର ସଭାପତି ସୁଦାମ ଦାଶ, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଲମ୍ବୋଦର ଦୀପ, ଶିଶୁ କଲ୍ୟାଣ କମିଟିର ସଦସ୍ୟା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ । ବୈଠକରେ ଶ୍ରମ ଆଇନ ୧୯୮୬ ସମ୍ପର୍କରେ ଆଲୋଚନା ହୋଇଥିଲା । ୧୪ ବର୍ଷ ପୂର୍ଣ୍ଣ କରିନଥିବା ଶିଶୁଙ୍କୁ କୌଣସି ପ୍ରକାରର ବୃତ୍ତି ଏବଂ ପ୍ରକ୍ରିୟାରେ ତଥା ୧୪ ବର୍ଷରୁ ୧୮ ବର୍ଷ ବୟସର କିଶୋର ମାନଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ତେଣୁ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା କରାଯିବା ଉପରେ ଆଲୋଚନା କରାଯାଇଥିଲା । ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୪ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା କିଶୋରମାନଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜିତ କରିବାର ନଜରକୁ ଆସେ ତେବେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିପାରିବେ । ଏତଦ ବ୍ୟତୀତ ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପ ଲାଇନ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ବୈଠକରେ ଶିଶୁ ଶ୍ରମିକ ଚିହ୍ନଟ କରିବା ସହ ସେମାନଙ୍କ ଥଇଥାନ ଉପରେ ଆଲୋଚନା ହୋଇଥିଲା । ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ କରୁଥିବା ଅନୁଷ୍ଠାନ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଶ୍ରମ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଡେପୁଟି କଲେକ୍ଟର ଶୁଭସ୍ମିତା ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଜିଲ୍ଲା ପରାମର୍ଶଦାତା ସନ୍ଧ୍ୟାରାଣୀ ପତି ସଭା ପରିଚାଳନା କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ସକାଳେ ଅଦ୍ଵେକାର ଛାତ୍ରୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀଙ୍କୁ ନେଇ ଏକ ସଚେତନତା ରାଲି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଏହି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.