ଭୀମଭୋଇ ମେଡିକାଲରେ ନିୟାମକ ମଣ୍ଡଳୀ ବୈଠକ

  • ସ୍ୱତନ୍ତ୍ର କର୍କଟ ଡାକ୍ତରଖାନା ହେବ ନିର୍ମାଣ
  • ଅଗଷ୍ଟ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ମେଡିକାଲ
  • ପିଜି କ୍ଲାସ ଖୋଲିବା ପାଇଁ ଆନୁସଙ୍ଗିକ ପ୍ରସ୍ତୁତି
  • ଅନୁପସ୍ଥିତ ଡାକ୍ତରଙ୍କ ଉପରେ ହେବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କନଫରେନ୍ସ ହଲ୍‌ରେ ମେଡିକାଲର ନିୟାମକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ୬୫୦ ବ୍ୟାଡ୍‌ ଡାକ୍ତରଖାନାର ନିର୍ମାଣ ସଂପୂର୍ଣ୍ଣ କରିବା ସହ ମେଡିକାଲ ପରିସର ମଧ୍ୟରେ ଏକ ସ୍ୱତନ୍ତ୍ର କେନସର୍ ଡାକ୍ତରଖାନା, ପିଜି କ୍ଲାସ ଆରମ୍ଭ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପ୍ରସ୍ତୁତି, ମେଡିକାଲରେ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ଓ ଡାକ୍ତରଖାନାରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଉତ୍ତରାଞ୍ଚଳ ଆରଡିସି ଶ୍ରୀ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଶ୍ରୀ ଦଳେଇ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ମେଡିକାଲ କଲେଜ ଡିନ ସବିତା ମହାପାତ୍ରଙ୍କୁ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ କହିଥିଲେ । ଡା. ମହାପାତ୍ର ଗତ ବୈଠକରେ ହୋଇଥିବା ବିଭିନ୍ନ ଅଲୋଚନା ଓ ତାର ପ୍ରଗତି ଉପରେ ଏକ ବିବରଣୀ ପ୍ରଦାନ କରିଥିଲେ । ତା’ଛଡା ମେଡିକାଲର ବିଭିନ୍ନ ବିଭାଗରେ ଉତ୍କର୍ଷତା ଲାଭ କରିଥିବା ଛାତ୍ର ତଥା ଖାଲି ପଡିଥିବା ବିଭିନ୍ନ ପଦବୀ ଉପରେ ସୂଚନା ଦେଇଥିଲେ । ମେଡିକାଲରେ ଥିବା ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ପିଏଚଡି ଓ ଜିପିଏଚଡି ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ପିଇବା ପାଣି ସମସ୍ୟା ଦୂର କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେହିପରି ମେଡିକାଲ ପରିସର ମଧ୍ୟରେ ଥିବା ସମସ୍ତ ବୈଦ୍ୟୁତିକ ସମସ୍ୟାକୁ ଦୂର କରିବା ପାଇଁ ଜିଇଡି ଓ ଟାଟା ପାୱାର ସମନ୍ୱୟର ସହ କାମ କରି ମେଡିକାଲର ପରିସରରେ ଥିବା ସମସ୍ତ ବୈଦ୍ୟୁତିକ ସମସ୍ୟାକୁ ଦୂର କରିବା ପାଇଁ ଯଥା ଏକ ଶୀଘ୍ର ବୈଠକ କରି ସମସ୍ୟାର ସମାଧାନ ଦିଗରେ କାମ କରିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅନେକ ଡାକ୍ତର ମେଡିକାଲରେ କ୍ରମାଗତ ଭାବେ ଅନୁପସ୍ଥିତ ରହୁଥିବା ନେଇ ଚିନ୍ତା ପ୍ରକଟ କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ମଧ୍ୟ ବିଧାୟକଙ୍କ ଦ୍ୱାରା ଉତ୍ଥାପିତ ଏହି ସମସ୍ୟା ଉପରେ ଗୁରୁତ୍ୱ ପ୍ରକାଶ କରିବା ସହ ଡାକ୍ତରମାନଙ୍କ ଅନୁପସ୍ଥିତିରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ଆହୁରି ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ସହ ସେମାନଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ପ୍ରକ୍ରିୟା ଗ୍ରହଣ କରାଯିବ ବୋଲି କହିଥିଲେ । ଭିତ୍ତିଭୂମୀ ଆଲୋଚନା ସମୟରେ ବିଶେଷ କରି ବ୍ୟାଡ୍‌ମିଣ୍ଟନ ଇନଡୋର ଷ୍ଟାଡିଅମ, ଇଣ୍ଟର୍ନସିପ ହଷ୍ଟେଲ ସହ ପିଜି କ୍ଲାସ ଖୋଲିବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ବସ୍ତୁର ସବିଶେଷ ତଥ୍ୟ ପ୍ରସ୍ତୁତ କରିବା ପାଇଁ ଉତ୍ତରାଞ୍ଚଳ ଆରଡିସି ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ଇଣ୍ଟର୍ନ ଡାକ୍ତରମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିବା ପାଇଁ ଉପସ୍ଥିତ ଥିବା ଅଧିକ୍ଷଣ ଯନ୍ତ୍ରୀଙ୍କୁ କମିଟି ନିର୍ଦ୍ଦେଶ ଦେଇଥିଲା । ଆଗାମୀ ଦିନରେ ପିଜି କ୍ଲାସ ଆରମ୍ଭ ହେବାକୁ ଥିବା ବେଳେ ମେଡିକାଲ କଲେଜରେ ଏକ ବଡ ଲାଇବ୍ରେରୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଠାରେ ଆବଶ୍ୟକ ସମସ୍ତ ପୁସ୍ତକର ତାଲିକା ପ୍ରସ୍ତୁତ କରିବା ପାଇଁ କମିଟି ନିର୍ଦ୍ଦେଶ ଦେଇଥିଲା । ଆହୁରି ମେଡିକାଲରେ ଖାଲି ପଡି ରହିଥିବା ବିଭିନ୍ନ ପଦବୀକୁ ଶୀଘ୍ର ପୂରଣ କରିବା ପାଇଁ କମିଟି ଚର୍ଚ୍ଚା କରିଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମ ପି ନୋମିନି ଦୀନେଶ ଶର୍ମା, ଏମଏଲଏ ନୋମିନି ମନୀଷ ମିଶ୍ର, ବଲାଙ୍ଗିର ତହସିଲଦାର ପୁଷ୍ପା ପଣ୍ଡା, ହସପିଟାଲ୍‌ ସୁପରିଟେଣ୍ଡେଣ୍ଟ, ଡା. ପ୍ରତାପ ରଥ, ପ୍ରଫେସର ମଧୁ ପତି, ପିଡବ୍ଲୁଡି ଅଧିକାରୀ, ଜଳ ଯୋଗଣ ଅଧିକାରୀ ଓ ଟାଟା ପାୱାର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.