ରାଣୀପୁର ଝରିଆଲ ଭୋଗ ମଣ୍ଡପଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ସାଙ୍ଗଠନିକ ବୈଠକ

  • ଜଳ, ଜଙ୍ଗଲ, ଜମି, ଭାଷାର ସୁରକ୍ଷା ସହ ପାରମ୍ପରିକ ଟିକ ଡିହା ଯୋଟଘାଟ ବିବାହ ପାଇଁ ଆହ୍ୱାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଚଉଷଠି ଯୋଗିନୀ ପୀଠ ରାଣୀପୁର ଝରିଆଲ ଶିବ ମନ୍ଦିର ଭୋଗ ମଣ୍ଡପଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ବଙ୍ଗୋମୁଣ୍ଡା ବ୍ଲକ ସାଙ୍ଗଠନିକ ବୈଠକ କୁବେର ଭୋଇଙ୍କ ଆହ୍ୱାନ କ୍ରମେ ବ୍ଲକ ସଭାପତି ବ୍ରଜ ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ସୁରେଶ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସମ୍ପାଦକ ଡିଙ୍ଗର ଭୋଇ ଏବଂ ସମ୍ମାନିତ ଅତିଥି ଭାବେ ସଂଗଠକ ଦୈତାରୀ ଭୋଇ, ଉପସଭାପତି ଧନେଶ୍ୱର ମାଝୀ, ବୁଡୁକା ପ୍ରଗଣାର ସଭାପତି ଲଳିତ ଯାନୀ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଜଙ୍ଗଲ ଜମିର ଅଧିକାର ସିଦ୍ଧ କରିବାକୁ ହେଲେ ସମାଜ ସବୁ ବର୍ଗର ଲୋକ ଏକ ହୋଇ ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ଏକ ମାତ୍ର ବିକଳ୍ପ ହେବ ବୋଲି ଶପଥ ପାଠ କରିବା ସହିତ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମ ନିଜ ସମାଜର ଦିହାରି, ପୂଝାରୀ, ଯାନୀ, ଝାଙ୍କର, ଲଗନିଆମାନେ ସମସ୍ତ ସାମାଜିକ ବିବାହ, ଦଶାହ, ହାଣି ଦିଆ (ଏକୋଇସିଆ) କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ପ୍ରତ୍ୟେକ କନ୍ଧ ଗ୍ରାମରେ ଦୁଇ ଜଣ ଲେଖାଏଁ ଲଗାନିଆ ନିଯୁକ୍ତି ଦେଇ ପ୍ରଶିକ୍ଷଣ ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲା । ଦେବତା ଗୁଡ଼ି ମଠର ସୁରକ୍ଷା ସହିତ କନ୍ଧ ଜାତି ଭାଷାକୁ ଅଷ୍ଟମ ଅନୁସୂଚିରେ ସ୍ଥାନ ଦେଇ କନ୍ଧାନ ଭାଷାର ମାନ୍ୟତା ଦାବୀ ଜୋର୍‌ସୋର୍‌ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । କନ୍ଧ ଜାତିର ଡକା ବାଦ୍ୟର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ସଙ୍ଗେ ସଙ୍ଗେ କନ୍ଧ ସଂସ୍କୃତିର ଢ଼ାପ ନୃତ୍ୟ ପ୍ରଚାର ପ୍ରସାର କରିବା ବାଧ୍ୟତାମୂଳକ ଅଟେ ବୋଲି ମତପ୍ରକାଶ ପାଇଥିଲା । ବ୍ଲକ ସଂଗଠନକୁ ସୁଦୃଢ କରିବା ପାଇଁ ଜିଲ୍ଲା ସଭାପତିଙ୍କ ଅନୁମୋଦନ କ୍ରମେ ବ୍ଲକ କାର୍ଯ୍ୟକର୍ତ୍ତା ସମ୍ପ୍ରସାରଣ କରାଯାଇଥିଲା । ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ କୁବେର ଭୋଇ, ଉପସଭାପତି ଭାବେ ନୀଳକଣ୍ଠ ଭୋଇ, ଆର୍ତ୍ତତ୍ରାଣ ଭୋଇ, ସାଂସ୍କୃତିକ ସମ୍ପାଦକ ପିତାମ୍ବର ଭୋଇ, ବ୍ଲକ ସଂଗଠକ ଯୁବରାଜ ମାଝୀଙ୍କୁ ମନୋନୀତ କରାଯାଇଥିଲା । ଟିକ ଡିହା ବିବାହ କରାଉଥିବା ଧରନି ପେନୁ ଅନୁଷ୍ଠାନର କୁମାର ମାନି ମାଝୀ, କର୍ଣ୍ଣ ଯାନୀଙ୍କୁ ସମ୍ମାନିତ କରିବା ସହ ସୋଲାର ପ୍ଲାଣ୍ଟରେ ଜେଲ୍‌ ଯାଇଥିବା ସଂଗ୍ରାମୀ ଏବଂ ବଡ଼ଗମଡା ଗ୍ରାମର ସଂଗ୍ରାମୀ ସଭ୍‌ସିଲେଟ କେସ୍‌ରେ ଜେଲ୍‌ ଯାଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ତୁରେକେଲା ସଭାପତି ଜୟ ଗୋପାଳ ଭୋଇ, ମୁରିବାହାଲ ସଭାପତି ଦୋଷୀ ମଣି ପ୍ରଧାନୀ, ଗୁଡ଼ଭେଳା ଚିତ୍ରସେନ ଭୋଇ, ମୋତୀ ଭୋଇ, ବାସୁଦେବ ଯାନୀ, ବିପ୍ର ଯାନୀ, ମହେଶ୍ୱର ଯାନୀ ପ୍ରମୁଖ ସହଯୋଗ କରିଥିବା ବେଳେ କୋଷାଧ୍ୟକ୍ଷ ଡମ୍ବରୁ କୁଅଁର ମଞ୍ଚ ସଂଚାଳନ କରିଥିଲେ । ଏହି ସାଙ୍ଗଠନିକ ବୈଠକରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.