ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସୋହେଲା ପଞ୍ଚାୟତ ସମିତି ପରିସରରେ ଜିଲ୍ଲା ସଭାପତି ଗୋବିନ୍ଦ ପଧାନଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ସରପଞ୍ଚ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷ କରି ସରପଞ୍ଚମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ସେମାନଙ୍କ କଥାକୁ ସ୍ଥାନୀୟ ପ୍ରଶାସନ କୌଣସି ପ୍ରକାର ଗୁରୁତ୍ଵ ଦେଉନଥିବା ଓ ଅନେକ ପ୍ରକଳ୍ପ ସରପଞ୍ଚମାନଙ୍କ ବିନା ଅନୁମୋଦନ କିମ୍ଵା ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବା ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ସେହିଭଳି ଅନେକ କର୍ମଚାରୀ ସରପଞ୍ଚମାନଙ୍କୁ କୌଣସି ପ୍ରକାର ଗୁରୁତ୍ଵ ଦେଉନଥିବା ବେଳେ ଲୋକମାନଙ୍କ କୌଣସି ସମସ୍ୟାର ସମାଧାନ କରି ନ ପାରିବାରୁ ନିର୍ବାଚିତ ହୋଇଥିବା ସରପଞ୍ଚମାନେ ସାଧାରଣ ଭୋଟରମାନଙ୍କ ରୋଷର ଶିକାର ହେଉଛନ୍ତି । ତେବେ ଖୁବ୍ ଶୀଘ୍ର ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନର ବାଟ ଫିଟାଇବା ପାଇଁ ସଂଘ ନିଷ୍ପତ୍ତି ନେଇଛି ।