କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ଆସନ୍ତା ୩୦ ମାର୍ଚ୍ଚ ଦିନ ହେବାକୁ ଥିବା ଶ୍ରୀରାମ ନବମୀ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ନେଇ ସ୍ଥାନୀୟ ପୋଲିସ ଏବଂ ପୂଜା କମିଟି ମଧ୍ୟରେ ଏକ ବୈଠକ ସୋମବାର ସଂଧ୍ୟାରେ ଅଭ୍ୟର୍ଥନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଥାନା ଅଧିକାରିଣୀ ରଶ୍ମିତା ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅତି ଧୁମ୍ଧାମ୍ରେ ସହରର ଶ୍ରୀରାମ ମଂଦିର ଏବଂ ପି.ଡବ୍ଲୁ.ଡି.ସ୍ଥିତ ଶ୍ରୀ ରାମେଶ୍ୱର ମଂଦିରରେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଗଲା । ଉଭୟ ଦୁଇ ମଂଦିରରୁ ସହସ୍ରାଧିକ ମହିଳା ପୁରୁଷ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା ପରେ ଶ୍ରୀରାମ ମଂଦିର ପରିସରରେ ରାମ ପାରାୟଣ ସହ ସର୍ବସାଧାରଣଙ୍କ ଏକ ସଭା ଅନୁଷ୍ଠିତ ହେବ । ଏହି ଶ୍ରୀରାମ ନବମୀ ଉତ୍ସବଟି କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ସ୍ଥାନୀୟ ପୋଲିସ ଏସ.ଡି.ପି.ଓ. ଲକ୍ଷ୍ମୀନାରାୟଣ ମାରାଣ୍ଡି, ଶ୍ରୀରାମ ନବମୀ କମିଟିର ସଭାପତି ଅଶୋକ ଛାପଡିଆ, ସଂପାଦକ ଚିନ୍ମୟ ଯୋଷୀ, ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ମୋହନଲାଲ ଶର୍ମା, ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ଓକିଲ ସଂଘ ସଂପାଦକ ଏସ.ଜେ.ରାଓ, ହେମାଲ ସଂଘ ସଭାପତି ଶେଷଦେବ ପୁଟେଲ, ମୁସଲିମ ସମାଜ ତରଫରୁ ଗଫାର ପରମାର, ସଜ୍ଜୁ ଖାନ, ଛୋଟୁ ଖାନ, ରାମସେନା ତରଫରୁ ପପ୍ପୁ ଜୁଏଡ, ପ୍ରତାପ ସୁନା, ତିରଥ ସିଂ ଠାକୁର, ଦେବରାଜ ୟାଦବ, ସଂଜୟ ଗାନ୍ଧୀ ଅଗ୍ରୱାଲ, କାହ୍ନୁ ଚରଣ ମିଶ୍ର, ବିଭିନ୍ନ ଖବରଦାତା ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ ।
Prev Post