jayashree

ବାହୁଡାରେ ବାହୁଡି ଗଲେ ପ୍ରଫେସର ଡ. ସୋମନାଥ ମିଶ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରାରେ ବାହୁଡି ଗଲେ ବିଶ୍ୱର ଜଣେ ଶ୍ରେଷ୍ଠ ଧାତୁ ବିଜ୍ଞାନୀ ପ୍ରଫେସର ଡ. ସୋମନାଥ ମିଶ୍ର । ୮୭ ବର୍ଷର କର୍ମମୟ ଜୀବନରେ ପଡିଛି ଜବନିକା । ରାଉରକେଲା ସହର ହରାଇଛି ଜଣେ ଶ୍ରେଷ୍ଠ ଶିକ୍ଷାବିତ୍‌ଙ୍କୁ । ପ୍ରଫେସର ଡ. ସୋମନାଥ ମିଶ୍ର । ଜଣେ ବିଶିଷ୍ଟ ମହାନ ଦୁରଦ୍ରଷ୍ଟା ଭାବରେ ସେ ସାରା ଭାରତ ବର୍ଷରେ ଖ୍ୟାତି ଅର୍ଜନ କରିଥଲେ । ଦୀର୍ଘ ୨୨ବର୍ଷ ଧରି ବର୍ତ୍ତମାନର ଏନଆଇଟି ତତ୍କାଳୀନ ଆରଇସିର ଅଧ୍ୟକ୍ଷ ଭାବେ ସେ ନିଷ୍ଠାର ସହ ଦାୟିତ୍ୱ ତୁଲାଇଥିଲେ । ଆମେରିକାରୁ ଧାତୁବିଜ୍ଞାନରେ ଡକ୍ଟରେଟ ପାଇବା ପରେ ସେ ଆରଇସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇ ଏହାକୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ । ତାଙ୍କର ବହୁ ବିଶ୍ୱସ୍ତରୀୟ ବିଜ୍ଞାନ ସମ୍ବନ୍ଧୀୟ ନିବନ୍ଧ ଆନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ସାରିଛି । ଏନଆଇଟି ପରିସରରେ ଥିବା ଆରଇସି କ୍ୟାମ୍ପସ ହାଇସ୍କୁଲ ତାଙ୍କର ମାନସ ସନ୍ତାନ ଥିବା ବେଳେ ସେ ଦୀର୍ଘ ବର୍ଷ ଧରି ତାର ସଭାପତି ଦାୟିତ୍ୱ ତୁଲାଇଥିଲେ । ରାଉରକେଲାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏହା ସହ ସହରର ବିଭିନ୍ନ ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କ ଛାତ୍ର ଥିବା ବହୁ ବ୍ୟକ୍ତି ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇଥିବା ବେଳେ ରାଉରକେଲାର ତତ୍କାଳୀନ ଏସପି ସଂଜୀବ ପଣ୍ଡା ତାଙ୍କ ଛାତ୍ର ଥିଲେ । ତାଙ୍କ ବିୟୋଗ ଆମ ସହର ତଥା ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ସହରର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରି ଶୋକ ବାର୍ତ୍ତା ମାନ ପଠାଇଛନ୍ତି । ତାଙ୍କ ବିୟୋଗରେ ସାଂସଦ ଜୁଏଲ ଓରାମ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ଡ. ପୀତବାସ ମିଶ୍ର, ସଚେତନ ନାଗରିକ ମଞ୍ଚର ସଭାପତି ଡାକ୍ତର ଫକୀର ଚରଣ ହୋତା, ସାଧାରଣ ସଂପାଦକ ପି ପି ରାୟ, ପ୍ରାକ୍ତନ ମହିଳା କମିଶନର ଲୋପମୁଦ୍ରା ମହାନ୍ତି, ନିଟ୍ରା ରାଉରକେଲା ଚାପ୍ଟର ଅଧ୍ୟକ୍ଷ ବିମଳ ବିଶି, ଆରଏସପିର ପ୍ରାକ୍ତନ ଇଡି ଭାରତ ଭୂଷଣ ମହାନ୍ତି, ଫକୀର ଚରଣ ମହାନ୍ତି, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ମିଡିଆ କ୍ଲବର ସଭାପତି ଟି ପଟ୍ଟନାୟକ, ସଂପାଦକ ବିବେକାନନ୍ଦ ଦାସ, ହାପି ମୋମେନ୍ଟସ୍‌ର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସମ୍ବାଦ ସାହିତ୍ୟ ଘର ସଂପାଦକ ପ୍ରଶାନ୍ତ ଦାସ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ସତ୍ୟାନନ୍ଦ ବେହେରା, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ଗୋପୀନାଥ ପଟ୍ଟନାୟକ, କୁମାର ବେହେରା, ଉତ୍କଳ ସମ୍ମିଳନୀର ସଭାପତି ସୁଦାମ ଦାଶ, ସଂପାଦକ ଅକ୍ଷୟ କୁମାର ଦାସ, ଡ. କିଶୋରୀ ଦାଶ, ଆଦର୍ଶ ପାଠାଗାର ସଭାପତି ଅଭୟ କୁମାର ଦାସ, ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପ୍ରଗତି ଉତ୍କଳ ସଂଘର ରାଧାମୋହନ ନାୟକ, ଘନଶ୍ୟାମ ଧଳ, ଶଙ୍କର ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସେହି ମହାନ ବିଭୁତିଙ୍କ ଅବର୍ତ୍ତମାନରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତପ୍ରକାଶ କରି ଭଗବାନ ତାଙ୍କର ଅମର ଆତ୍ମାର ସଦଗତି କରନ୍ତୁ ବୋଲି କାମନା କରିଛନ୍ତି । ସ୍ୱର୍ଗତ ମିଶ୍ରଙ୍କ ବିଧବା ପତ୍ନୀଙ୍କ ବ୍ୟତୀତ ପୁଅ ଓ ଝିଅ ଆମେରିକାରେ ଥିବା ବେଳେ ସଂପ୍ରତି ପୁଅ ରାଉରକେଲାରେ ରହି ତାଙ୍କ ସେବା ଶୁଶ୍ରୃସା କରୁଥିଲେ । ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ବେଦବ୍ୟାସ ଘାଟଠାରେ ସଂପନ୍ନ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.