ବାହୁଡ଼ାଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାରେ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବୟଲସାଗର ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ ଆଜି ବୟଲସାଗର ଗ୍ରାମର ବେଣୁ ବରିହା (୫୮) ବର୍ଷ ବୟସ ସେ କିନ୍ଦ୍ରଟାଲ ଗ୍ରାମରୁ ବାହୁଡ଼ାଯାତ୍ରା ଦେଖି ସନ୍ଧ୍ୟା ୭:୩୦ ସମୟରେ ସାଇକେଲରେ ଘରକୁ ଫେରୁଥିବା ବେଳେ ବୟଲସଗାରରୁ ପାଟଣାଗଡ଼ ରାସ୍ତା ଅଭିମୁଖେ ଯାଉଥିବା ଗୋଟିଏ ନୀଳ ରଙ୍ଗର ପିକ୍‌ଅପ୍‌ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଭିଡ ଜମା ହୋଇଯାଇ ଭାରି ଉତ୍ତେଜନା ଦେଖାଯାଇଥିଲା । ପରିବାର ଲୋକେ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ସଙ୍ଗେସଙ୍ଗେ ଖପ୍ରାଖୋଲ ପୋଲିସକୁ ଖବର କରିଥିଲେ । ଖପ୍ରାଖୋଲ ପୋଲିସ ଏସ ଆଇ ଲିଙ୍ଗରାଜ କିସାନ, ଏ ଏସ ଆଇ ସେୱାନ କେରକେଟା, ଏ ଏସ ଆଇ ନବୀନ କୁମାର ଭୋଇ ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ନିୟନ୍ତ୍ରଣ କରି ପିକଅପ ଗାଡିର ଡ୍ରାଇଭର ପାଟଣାଗଡ଼ ଥାନା କର୍ଲାମାଲ ଗ୍ରାମର କେଶବ ପୁଟେଲ ଏବଂ ହେଲ୍ପରକୁ ଗିରଫ କରିଥିଲେ । ଡ୍ରାଇଭର ଜଣକ ଅତ୍ୟଧିକ ମଦ ପିଇ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦୁର୍ଘଟଣା ହୋଇଥିବା ବେଣୁ ବରିହାକୁ ଖପ୍ରାଖୋଲ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ବୁଲବୁଲ ନାଏକ ବେଣୁଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୭୧/୨୦୨୪ ରେ ଏକ ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.