
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନର୍ଗତ ସାଉରିଆ ପଞ୍ଚାୟତ ଘୋରଡ଼ିଆ ଗ୍ରାମରେ ମହାବାହୁ ଶ୍ରୀ ପତିତପାବନ ଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଛି । ନବଦିନାତ୍ମକ ଯାତ୍ରାସାରି ଜନ୍ମଦେବୀରେ ଲୀଳାଖେଳା ସାରି ବାହୁଡ଼ିଲେ ମହାବାହୁ ଶ୍ରୀ ଶ୍ରୀ ପତିତପାବନ ଦେବ । ସେବାୟତ, ଭକ୍ତ, ଶ୍ରଦ୍ଧାଳୁମାନେ ମଧ୍ୟ ତାଙ୍କର ପ୍ରିୟ କାଳିଆ ସାନ୍ତେଙ୍କୁ ରଥରେ ବସାଇ ରଥଟାଣିନେବାକୁ ବ୍ୟାକୁଳ ହୋଇଥିଲେ । ଜିଉଙ୍କ ସେନାପଟ ଲାଗି, ମଙ୍ଗଳାର୍ପଣ, ବାହୁଡ଼ା ପହଣ୍ଡି ବେଶଶେଷ, ଛେରାପହଁରା, ଚାରମାଳ ଫିଟାଇ ରଥଟାଣିବା ପାଇଁ ନୀତିକାନ୍ତ ଚୂଡ଼ାନ୍ତ ହେବାପରେ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ । ଏଥିରେ ମନ୍ଦିର ପରିଚାଳନା କମିଟିର ଅଧକ୍ଷ ବିଜୟ ମିଶ୍ର, ବରିଷ୍ଠ କର୍ମକର୍ତ୍ତା ବାସୁଦେବ ମିଶ୍ର, ରାମଚନ୍ଦ୍ର ଦାଶ, ମଦନ ମିଶ୍ର, ବିରେନ ମିଶ୍ର, ଦେବାଶିଷ ମିଶ୍ର, ବିକ୍ରମ ମିଶ୍ର, ସୁନୀଲ ମିଶ୍ର ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ଗ୍ରାମବାସୀ ବୃନ୍ଦ, ପୋଲିସ ଓ ବିଦ୍ୟୁତ ବିଭାଗ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ଶ୍ରୀ ଜିଉଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା ।