
ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟାନୁଷ୍ଠାନ ପ୍ରୟାସର ଚିନ୍ତା ପ୍ରତିମା ବହୁଭାଷୀ ନାଟକ ମହୋତ୍ସବରେ ଦ୍ୱିତୀୟ ଦିବସରେ ନାଟକ ଭରତ ବାକ୍ୟ ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ଡ଼ଃ ନିବେଦିତା ଜେନାଙ୍କ ରଚିତ ହରପ୍ରସାଦ ପଟ୍ଟନାୟକ ନିର୍ଦ୍ଦେଶିତ ତଥା ଭୁବନେଶ୍ୱର କଳାକାର ଥିଏଟର ଦ୍ୱାରା ମଞ୍ଚସ୍ଥ ଏହି ହିନ୍ଦୀ ନାଟକର ବିଷୟବସ୍ତୁ ହେଲା “ଭରତ ବାକ୍ୟ” ଭରତ ମୁନୀକୃତ ନାଟ୍ୟଶାସ୍ତ୍ରଦ୍ଵାରା ପ୍ରେରିତ । ବେଦପାଠ, ନାରୀ ଏବଂ ଶୂଦ୍ରଙ୍କ ନିମନ୍ତେ ନିଷେଧ ଥିଲା । ଫଳରେ ସାଧାରଣ ଜନ, ବେଦ ବା ଜ୍ଞାନ ପ୍ରାପ୍ତିରୁ ବଞ୍ଚିତ ହେଲେ । ଜ୍ଞାନର ଅଧିକାରୀ ଦେବତାମାନେ କ୍ରମଶଃ ଭୋଗ ବିଳାସରେ ମାତି କ୍ଷୀଣ ଦୁର୍ବଳ ହେବାକୁ ଲାଗିଲେ । ଏଥିରେ ବ୍ୟଥିତ ହୋଇ ଦେବରାଜ ଇନ୍ଦ୍ର, ବ୍ରହ୍ମଦେବଙ୍କୁ ଏକ ନୂତନ ମନୋରଞ୍ଜନ ସାମଗ୍ରୀ କ୍ରୀଡନୀୟକ ସୃଷ୍ଟି କରିବାକୁ ଅନୁରୋଧ କଲେ ଯାହା ମନୋରଞ୍ଜନ ପ୍ରଦାନ କରିବା ସହ ଜ୍ଞାନବର୍ଦ୍ଧକ ଓ ଶିକ୍ଷା ପ୍ରଦାୟକ, ଏବଂ ଯଶ, ଅର୍ଥ, କାମ ଓ ମୋକ୍ଷ ପ୍ରଦାୟକ ହେବ । ବ୍ରହ୍ମା ତାଙ୍କର ଅନୁରୋଧ ରକ୍ଷା କରି ସର୍ବଜନହିତ ନିମନ୍ତେ ପଞ୍ଚମ ବେଦ ବା ନାଟ୍ୟ ବେଦ ସୃଷ୍ଟି କଲେ । ଏହି ନାଟ୍ୟବେଦକୁ କାର୍ଯ୍ୟନ୍ଵିତ କରିବାର ଦାୟିତ୍ଵ ସେ ଅର୍ପଣ କଲେ ଶିବଙ୍କ ମାନସ ପୁତ୍ର ଭରତ ମୁନୀଙ୍କୁ ଏବଂ ତାଗିଦା କଲେ ତାହା ଯେପରି ଜାତି- ଲିଙ୍ଗ- ବର୍ଣ୍ଣ ନିର୍ବିଶେଷରେ ସମ୍ପାଦିତ ହୁଏ । କିନ୍ତୁ ସେ ସ୍ଵୟଂ ଯେତେବେଳେ ପ୍ରଥମ ନାଟକ ସମୁଦ୍ର ମନ୍ଥନର ରଚନା କରନ୍ତି, ଅଜାଣତରେ ଏହି ବିଭେଦକୁ ପ୍ରଶ୍ରୟ ଦିଅନ୍ତି ଓ ଭରତ ମୁନୀ, ବ୍ରହ୍ମଦେବଙ୍କ ଗାରିମାର ଚାପରେ ବଶବର୍ତ୍ତୀ ହୋଇ ସେହି ଭୁଲକୁ ହିଁ ଆଗେଇ ନିଅନ୍ତି । ତାଙ୍କର ସେହି ଛୋଟ ଭୁଲ, ନାଟକର ମୂଳ ଲକ୍ଷ୍ୟରୁ ତାଙ୍କୁ ବିଚ୍ୟୁତ କରେ । ଗ୍ଲାନିରେ ସେ ଏକ ଶପଥ ଗ୍ରହଣ କରନ୍ତି, ଯାହା ଭରତ ବାକ୍ୟ । ସେହି ଶପଥ ଓ କାଳର ସୀମା ଡେଇଁ କିପରି କୁସଂସ୍କାର, ମାନବ ସମାଜକୁ କଳଙ୍କିତ କରିଛି, ଏହିଭଳି କାହାଣୀକୁ ନେଇ ଗତିଶୀଳ ହୋଇଛି ନାଟକ ଭରତ ବାକ୍ୟ । ଏଥିରେ ହରପ୍ରସାଦ, ମୃତ୍ୟୁଞ୍ଜୟ, ଆୟୁଷ୍ମାନ, ଶମ୍ଭୁନାଥ, ସୌମ୍ୟ ରଞ୍ଜନ, ସରୋଜ ପ୍ରମୁଖ ଅଭିନୟ କରିଥିଲେ । ଦ୍ଵିତୀୟ ଦିବସରେ ଖ୍ୟାତନାମା ବରିଷ୍ଠ କଳାକାର ସୁଦାମ ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ନିର୍ଦ୍ଦେଶକ ଓ ଅଭିନେତା କୈଳାଶ ପାଣିଗ୍ରାହୀ ଏବଂ ଆଲୋକ ବୋଷ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବିଷୋୟୀ ନାଟ୍ୟାଚାର୍ଯ୍ୟଙ୍କ ସହ ତାଙ୍କର ସୁସମ୍ପର୍କର ସ୍ମୃତି ରୋମନ୍ଥନ କରିବା ସହ ତାଙ୍କ ଭଳି ନାଟ୍ୟବ୍ୟକ୍ତିତ୍ୱବିରଳ ବୋଲି କହିଲେ । କାର୍ଯ୍ୟକ୍ରମକୁ ଅନିଲ ମଲ୍ଲିକ ସଂଯୋଜନା କରିଥିଲେ ।