om academy

ରୋଜଗାରର ମାଧ୍ୟମ ସାଜିଛି ‘ବହଲ୍‍ କଢ଼’

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ବରଗାଁ ଛକରେ ବହଲ୍‍ କଢ଼ର ଚାହିଦା ବେଶ ଅଧିକ ରହିଛି । ଏହା କେଜି ପ୍ରତି ୮୦ ଟଙ୍କାରୁ ଆରମ୍ଭ କରି ୧୬୦ ଟଙ୍କା ପର୍ୟ୍ୟନ୍ତ ବିକ୍ରି ହେଉଛି । ଖୁବ୍‍ ସୁଆଦିଆ ଏବଂ ଋତୁକାଳୀନ ପରିବା ହୋଇଥିବାରୁ ଦରକୁ ଖାତିର ନକରି ବଲାଙ୍ଗିର ବାସିନ୍ଦା ଏହାକୁ ଆଗ୍ରହର ସହ କିଣି ନେଉଛନ୍ତି । ପରିବା ବ୍ୟବସାୟୀ ଉପିନ୍ଦ୍ର ବାଗଙ୍କ କହିବା ଅନୁସାରେ, ଯେତେ ପରିମାଣରେ ବହଲ୍‍ କଢ଼ ବଜାରକୁ ଆସିଲେ ମଧ୍ୟ ତାହା ସରିଯାଉଛି । ହାଟରୁ ଘରକୁ ଫେରିଲା ବେଳେ ଏହା ଆଉ ଅଦୌ ବଳୁ ନାହିଁ । ସ୍ୱାଦିଷ୍ଟ ଓ ଔଷଧୀୟ ଗୁଣ ଭରି ରହିଥିବାରୁ ଏହି ଜଙ୍ଗଲଜାତ ଦ୍ରବ୍ୟ କିଛି ପରିବାର ପାଇଁ ରୋଜଗାରର ମାଧ୍ୟମ ସାଜିଛି । ଜଙ୍ଗଲରୁ ବହଲ୍‍ କଢ଼ ସଂଗ୍ରହ କରି ସିଧା ବରଗାଁ ଜାତୀୟ ରାଜପଥକୁ ବିକ୍ରି ପାଇଁ ନେଇ ଆସୁଛନ୍ତି । ବ୍ୟବସାୟୀ ୪ରୁ ୫କିଲୋ ଲେଖାଏଁ ବହଲ୍‍ କଢ଼ ଆଣୁଥିବା ବେଳେ ଏହା ଦିନ ୧୦ଟା ମଧ୍ୟରେ ବିକ୍ରି ହୋଇଯାଉଛି । ସଇଁନ୍ତଳା ଜଙ୍ଗଲ ଓ ଗାଁ ଗାଁର ଲୋକେ ବହଲ୍‍ କଢି ଆଣି ସଇଁନ୍ତଲା, ଘୁନସର, ବରଗାଁ, ବେଲଗାଁରେ ବିକ୍ରି କରୁଛନ୍ତି । ଫଗୁଣ ମାସ ଆରମ୍ଭରୁ ସଇଁନ୍ତଲା ବଜାରରେ ଉପଲବ୍ଧ ହୋଇଯାଏ ବହଲ୍‍ କଢ଼ । ପ୍ରଥମ କିଛି ଦିନ ଏହାର ମୂଲ୍ୟ ଅପେକ୍ଷାକୃତ ଖୁବ ଅଧିକ ରହିଥାଏ । ଚଳିତ ବର୍ଷ ଆରମ୍ଭରୁ ବହଲ୍‍ କଢ଼ କିଲୋ ପ୍ରତି ୨୦୦ଟଙ୍କାରୁ ଅଧିକ ରହିଥିଲା । ବଜାରକୁ ମଧ୍ୟ ବହୁତ କମ୍‍ ଆସୁଥିଲା । ଧିରେ ଧିରେ ଏହା ଅଧିକ ପରିମାଣରେ ବଜାରରେ ମିଳିବା ପରେ ଏହାର ମୂଲ୍ୟ ହ୍ରାସ ପାଇଥିଲା । ଏବେ ଏହା ୧୨୦ ଟଙ୍କାରେ ବିକ୍ରି ହେଉଛି । ରୋଷେଇରେ ପିଆଜ, ବାଇଗଣ, ଟମାଟୋ ଆଦି ବ୍ୟବହାର ହେଉଥିବାରୁ ବହଲ୍‍ କଢ଼ ସହ ଅନ୍ୟ ପନିପରିବାର ମଧ୍ୟ ବିକ୍ରି ବଢିଥାଏ । ଚାଷରୁ କିଛି ଦିନ ବିରତି ପାଇଥିବା ଲୋକେ ଏହି ସମୟରେ ବହଲ୍‍ କଢକୁ ରୋଜଗାରର ମାଧ୍ୟମ ଭାବେ ବାଛି ନିଅନ୍ତି । ଏହି ଜଙ୍ଗଲଜାତ ଦ୍ରବ୍ୟ କିଛି ଦିନ ପାଇଁ ସାଜେ ପରିବାର ପ୍ରତିପୋଷଣର ମାଧ୍ୟମ ।

Leave A Reply

Your email address will not be published.