oom

ସାମାଜିକ ସଂଗଠନ ଅଭିଭାବକ ମଂଚର ବିଶେଷ ବୈଠକ ଅନୁଷ୍ଠିତ

jsmm
  • ଜିଲ୍ଲାସ୍ତରୀୟ ନିଯୁକ୍ତି ବ୍ୟବସ୍ଥା କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରମୁଖ ସାମାଜିକ ସଂଗଠନ ଅଭିଭାବକ ମଂଚର ଏକ ବିଶେଷ ବୈଠକ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସଦସ୍ୟଗଣ ଜିଲ୍ଲାର କ୍ରମ ବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହାର ଯୁକ୍ତି ସଂଗତ ସମାଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଭିନ୍ନ ସରକାରୀ କର୍ମଚାରୀ ନିଯୁକ୍ତି କ୍ଷେତ୍ର ବିଶେଷତଃ ଗ୍ରେଡ-୩ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତିକୁ ଜିଲ୍ଲାସ୍ତରୀୟ କରିବା ପାଇଁ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା । ୨୦୨୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟହାର କରିବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଦାବିକୁ ମଂଚ ସମର୍ଥନ କରିବା ପାଇଁ ସଭାରେ ସ୍ଥିର ହେଲା । କେନ୍ଦ୍ର ସରକାରଙ୍କ ରେଳ ବିଭାଗ ତରଫରୁ ବଲାଙ୍ଗିର-ଖୋର୍ଦ୍ଧା ରୋଡ ରେଳପଥରେ ବୌଦ୍ଧରୁ ବଲାଙ୍ଗିର ଏବଂ ପୁରୁଣା କଟକ-ବଲାଙ୍ଗିର ଟ୍ରେନ ଚଳାଚଳ ଆରମ୍ଭ କରିଥିବାରୁ ମଂଚ ତରଫରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ରେଳ ବିଭାଗ ତରଫରୁ ଝାରସୁଗୁଡା – ସମ୍ବଲପୁର ମଧ୍ୟରେ ୩ୟ ତଥା ୪ର୍ଥ ରେଳ ଲାଇନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ସେହିପରି ସମ୍ବଲପୁର – ଟିଟିଲାଗଡ ମଧ୍ୟରେ ୩ୟ ତଥା ୪ର୍ଥ ରେଳ ଲାଇନ ନିର୍ମାଣ ଏବଂ ବଲାଙ୍ଗିର ଷ୍ଟେସନରେ ୪ର୍ଥ ଓ ୫ମ ପ୍ଲାଟଫର୍ମ ନିର୍ମାଣ ଦାବୀ ପାଇଁ ସଭାରେ ମତ ପ୍ରକାଶ ପାଇଥିଲା । ଆଲୋଚନାରେ ଉପସଭାପତି ପ୍ରଶନ୍ନ ମିଶ୍ର, ସମ୍ପାଦକ ଗୋବିନ୍ଦ ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ଦିବାକର ହୋତା, ପୂର୍ଣ୍ଣଚନ୍ଦ୍ର ଦାଶ, ରାଧାକୃଷ୍ଣ ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସଭ୍ୟ ପୁରୁଷୋତ୍ତମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.