
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଆନ୍ତଃ ସମନ୍ଵୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଭାତ କୁମାର ବେହେରା ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିବା ସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ, ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଦମନ-ଅଭିଯାନ ଏବଂ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଅନୁରୋଧ କରିବା ସହ ୧୦୮ ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ ସେବାରେ କିପରି ଉନ୍ନତ ମାନର ସେବା ପ୍ରଦାନ କରାଯାଇପାରିବ ତା ‘ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ମ୍ୟାଲେରିଆ ପ୍ରବଣ ବ୍ଲକ ମାନଙ୍କରେ ଯଥାଶୀଘ୍ର ମଶାରୀ ବଣ୍ଟନ କରିବା ପାଇଁ ନିର୍ଦେଶ ଦେଇଥିଲେ, ଦମନ କାର୍ଯ୍ୟକ୍ରମର ସଠିକ ରୂପାୟନ ଉପରେ ଅନୁଧ୍ୟାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଥିଲେ । ଏହା ପରେ ଡା ଶାନ୍ତନୁ କୁମାର ଦାଶ, ଜିଲ୍ଲା ଭେକ୍ଟର ବାହିତ ରୋଗ ଅଧିକାରୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ ଉପରେ ବିସ୍ତୃତ ବର୍ଣନା କରିଥିଲେ ଓ ସମସ୍ତ ଜନସାଧାରଣ, ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ତପନ କୁମାର ସାହୁ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା କହିଥିଲେ ଯେ, ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୦ ତାରିଖରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଏହି ସମୟ ଅବଧି ମଧ୍ୟରେ ସମସ୍ତେ ଖାଦ୍ୟ ଖାଇସାରି ଡ଼ି.ଇ.ସି , ଆଲବେଣ୍ଡାଜଲ ଓ ଆଇଭରମେକ୍ଟିନ ବଟିକା ଏକତ୍ର ଗୋଟିଏ ମାତ୍ରାରେ ବୟସ ଓ ଉଚ୍ଚତା ଅନୁସାରେ ଖାଇବା ପାଇଁ ଅନୁରୋଧ କରିଥିଲେ । ଉକ୍ତ ବଟିକା ଦୁଇ ବର୍ଷରୁ କମ ବୟସ୍କ ଶିଶୁ, ଗର୍ଭାବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିମାନେ ସେବନ କରିବେ ନାହିଁ । ଏହି ଔଷଧ ସମ୍ପୂର୍ଣ ନିରାପଦ ଏବଂ ଏହା ଦେହରେ ଥିବା ଫାଇଲେରିଆ କୀଟାଣୁଙ୍କୁ ମାରି ଗୋଦର-ଗୋଡ଼ କିମ୍ବା ଅଣ୍ଡକୋଷ ବୃଦ୍ଧି (ହାଇଡ୍ରୋସିଲ) କରିବାକୁ ଦେଇନଥାଏ । ଏହା ପରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ପରିଚାଳକ ଅନିଲ କୁମାର ମହାନ୍ତି , ୧୦୮ ଆମ୍ବୁଲାନ୍ସ କିପରି ସଠିକ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚି ଲୋକଙ୍କୁ ସାହାଯ୍ୟ କରିବା ସହିତ ସ୍ୱାସ୍ଥ୍ୟ ବିଭାଗରେ କିପରି ଉନ୍ନତମାନର ସେବା ପ୍ରଦାନ କରାଯାଇପାରିବ ତା’ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଅନୁଷ୍ଠିତ ଉକ୍ତ ବୈଠକରେ ବାରିପଦା ଉପ-ଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, ମେଡିକାଲ କଲେଜର ଅଧିକ୍ଷକ ପ୍ରଫେସର ଆର.କେ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡ଼ାଃ ବିଜୟ କୁମାର ଦାଶ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରିଣୀ ସୁନନ୍ଦା ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ଘାସିରାମ ମୁର୍ମୁ , ଜୋନାଲ ସଂଯୋଜକ(ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ଡ଼ାଃ ନିଶିତ କୁମାର ଦାଶ, ରାଜ୍ୟ ସଂଯୋଜକ (ଭେକ୍ଟର ବାହିତ ରୋଗ) ଆଲୋକ କୁମାର ପତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।