centurian jitm

ବଲାଙ୍ଗିରରେ ଶୀତଳଷଷ୍ଠୀ ଯାତ୍ରାର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆସନ୍ତା ଶୀତଳଷଷ୍ଠୀ ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଉପ–ଜିଲ୍ଲାପାଳ ଆଲୋକ କୁମାର ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସାହୁଙ୍କ ସମେତ ବିଦ୍ୟୁତ, ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ପୌର ନିର୍ବାହୀ ଅଧିକାରୀ, ସମ୍ପୃକ୍ତ ବିଭାଗର ଅଧିକାରୀ ଓ ବଲାଙ୍ଗିର ସହରର ବିଭିନ୍ନ ଶୀତଳଷଷ୍ଠୀ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସମସ୍ତଙ୍କୁ ସ୍ଵାଗତ କରିବା ସହ ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳା ଓ ସୁଚାରୁ ରୂପେ ସମାପନ ହେବ ସେଥି ନିମନ୍ତେ ବିଭିନ୍ନ ଶୀତଳଷଷ୍ଠୀ କମିଟି ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସମନ୍ଵୟ ଓ ସହଯୋଗ କାମନା କରିଥିଲେ । ବଲାଙ୍ଗିର ଉପଜିଲ୍ଲାପାଳ ଶ୍ରୀ ପଟେଲ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରି ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ । ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା କିପରି ସୁଚାରୁରୂପେ ସମାପନ ହେବ ସେ ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଶୀତଳଷଷ୍ଠୀ ଯାତ୍ରା ସମୟରେ ସହରରେ ବିଦ୍ୟୁତ ସରବରାହ ଯେପରି ବ୍ୟାଘାତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଶୀତଳଷଷ୍ଠୀ ଯାତ୍ରା ସମୟରେ ସହରର ସ୍ଥାନେ ସ୍ଥାନେ ବିଶେଷ କରି ଯେଉଁ ସ୍ଥାନ ମାନଙ୍କରେ ଯାତ୍ରା ଅନୁଷ୍ଠିତ ହେଉଛି ସେଠାରେ ପାନୀୟ ଜଳର ସୁବନ୍ଦୋବସ୍ତ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିଲା । ଶୀତଳଷଷ୍ଠୀ ଯାତ୍ରା ସମୟରେ ବଲାଙ୍ଗିର ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁରୂପେ ନିୟନ୍ତ୍ରଣ କରିବା ଓ ରାସ୍ତା ସାରଣୀ ଅନୁସାରେ ଶୋଭାଯାତ୍ରାକୁ ସମ୍ପନ୍ନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏଥି ନିମନ୍ତେ ସମସ୍ତ କମିଟି ରାସ୍ତା ସାରଣୀ ଓ ଶୋଭାଯାତ୍ରାର ସମୟ ପ୍ରଦାନ କରିବାକୁ କମିଟିର କର୍ମକର୍ତ୍ତା ମାନଙ୍କୁ ଅନୁରୋଧ କରାଯାଇଥିଲା । ଶୀତଳଷଷ୍ଠୀ ଯାତ୍ରା ସମୟରେ ବଲାଙ୍ଗିର ସହରରେ ଆକସ୍ମିକ ଅଗ୍ନି ନିର୍ବାପନ ନିମନ୍ତେ ତତ୍ପର ରହିବାକୁ ଅଗ୍ନିଶମ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଶୀତଳଷଷ୍ଠୀ ଯାତ୍ରା ସମୟରେ ଯାତ୍ରା ସ୍ଥଳୀ ମାନଙ୍କରେ ଜନସମାଗମକୁ ଦୃଷ୍ଟିରେ ରଖି ଆଶୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଏବଂ ଔଷଧ ସହ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ କରିବାକୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏତଦ ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ବଲାଙ୍ଗିର ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.