
- ଆଜି ନୃସିଂହନାଥ ବୈଶାଖମେଳାର କଳସ ଯାତ୍ରା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ବୈଶାଖ ମେଳା ପାଇଁ ଚୁଡାନ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଧବାର ସଂନ୍ଧ୍ୟାରେ ନୃସିଂହନାଥ ବୈଶାଖ ମେଳା ଆରମ୍ଭ ସହ କଳସ ଅଧିବେସନ କରାଯିବ । ଶୁକ୍ରବାର ସକାଳୁ ବିଶ୍ୱଶାନ୍ତି ମହାଯଜ୍ଞର ଆରମ୍ଭ କରାଯିବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏଣ୍ଟ୍ରିମ ଟ୍ରଷ୍ଟି ଦେବାଶିଷ ସିଂହନ୍ନାଙ୍କ ସହ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଓ ମେଳା କମିଟିର ସଦସ୍ୟ ମାନେ ମେଳା ପରିସର ବୁଲି ଦେଖିବା ସହ ବାଇପାସ ରୋଡ୍, ପାର୍କିଙ୍ଗ ପ୍ଲେସ, ଉଠା ଦୋକାନ ସ୍ଥାନମାନ ବୁଲି ଦେଖିଥିଲେ । ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ଚଳଚଞ୍ଚଳ ହୋଇ ପଡିଛି ନୃସିଂହନାଥ ପୀଠ । ଚଳିତ ବର୍ଷ ଆର୍ୟୁବେଦ ମହାବିଦ୍ୟାଳୟଠାରୁ ନୃସିଂହନାଥ ପର୍ଯ୍ୟନ୍ତ ପ୍ରବଳ ଭିଡକୁ ନଜର ରଖି ରାସ୍ତାର ପାର୍ଶ୍ଵରେ ଲାଗି ଦୋକାନ ନ ବସାଇ ଟିକିଏ ରାସ୍ତା ଛାଡି ବସାଯାଇଛି । ମେଳା ପରିସରରେ ଦୋକାନ ବଜାର ଦୋଳି ସର୍କସ ଆଦି ବସି ସାରିଲାଣି । ପ୍ରଶାସନ ତଥା ମନ୍ଦିର ପରିଚାଳନା କମିଟି ତରଫରୁ ଏଥି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚାଳଧାରରେ ବାଉଁଶରେ ତିଆରି ସ୍ୱତନ୍ତ୍ର ଅସ୍ଥାୟୀ ରାସ୍ତା ନିର୍ମାଣ କାମ ଶେଷ ହୋଇଛି । ମନ୍ଦିର ପରିସରରେ ଯଜ୍ଞ ମଣ୍ତପ କାର୍ଯ୍ୟ ଶେଷ ହୋଇଯାଇଛି । ୭ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ବୈଶାଖ ମେଳା ଅନୁଷ୍ଠିତ ହେବ । ପ୍ରଥମ ଦିନ ବୁଧବାର ୭ତାରିଖ କଳସ ଯାତ୍ରା ପାଇଁ ଅପରାହ୍ନ୪ଟାରେ ପୁଜା ପାଠ ଅନୁଷ୍ଠିତ ହେବ । ଆଠ ତାରିଖ ଗୁରୁବାର ସକାଳୁ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ଓ ବୀଜମନ୍ତ୍ର ଜପ କରାଯିବ ।୧୧ତାରିଖରେ ନୃସିଂହନାଥ ମହାପ୍ରଭୁ ମାର୍ଜାର କେଶରୀଙ୍କ ଜନ୍ମ ଉତ୍ସବ ପାଳନ କାର୍ଯ୍ୟକ୍ରମ ରହିଛି ଓ କନ୍ଦ ସମାଜ ଦ୍ୱାରା ନୃସିଂହ ମହାପ୍ରଭୁଙ୍କୁ ପିତାକନ୍ଦା ଭୋଗ ଅର୍ପଣ ଏବଂ ଧ୍ୱଜା ବନ୍ଧନ କରଯିବ । ୧୨ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି । ମେଳାରେ କିପରି ଶାନ୍ତି ଶୃଙ୍ଖଳା, ଟ୍ରାଫିକ ସମସ୍ୟା, ଭିଡ଼ ନିୟନ୍ତ୍ରଣ ତଥା ପୋଲିସ ସହାୟତାକୁ ଗୁରୁତ୍ଵ ଦିଆଯିବ ବୋଲି ପଦ୍ମପୁର ଏସଡିପିଓ ପାଣ୍ଡବ ଶବର କହିଛନ୍ତି । ଅକ୍ଷୟ ତୃତୀୟାଠାରୁ ନୃସିଂହନାଥରେ ଅପରାହ୍ନ ୪ ଟାରେ ନୃସିଂହ ମହାପ୍ରଭୁଙ୍କ ଠାରେ ଲାଗୁ ହେଉଥିବା ପଖାଳ ଭୋଗ ମଙ୍ଗଳବାର ଶେଷହୋଇଛି ।
