
ଭୁବନେଶ୍ୱର, (କେପିଏନ୍ଏନ୍) : ରାଜ୍ୟର ପୁରାତନ ସାଂସ୍କୃତିକ ଓ ସମାଜସେବା ଅନୁଷ୍ଠାନ ଚିନ୍ତା ଓ ଚେତନା ଏବଂ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ପାଳନ ମହୋତ୍ସବର ଅନନ୍ୟ ମହକ ୪୮ତମ ରାଷ୍ଟ୍ରୀୟ ବୈଶାଖୀ ମହୋତ୍ସବ ୨୦୨୫, ରବିନ୍ଦ୍ର ମଣ୍ଡପଠାରେ ଅପ୍ରେଲ ୧୫ରୁ ୧୮ ପର୍ଯ୍ୟନ୍ତ ଯଥାରୀତି ଅନୁଷ୍ଠିତ ହେଉଛି । ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରାନ୍ତୀୟ ନୃତ୍ୟ ଓ ସଂଗୀତ ଦଳ ସହ ଭାରତର ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟ, ଓଡ଼ିଶୀ, କଥାକଳି, କୁଚୁପୁଡ଼ି, ଭାରତନାଟ୍ୟମ ଓ କଥକ ନୃତ୍ୟର ବରିଷ୍ଠ ଓ ନବୀନ କଳାକାର ଦୀର୍ଘ ୪ ଦିନ ଧରି ସେମାନଙ୍କର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ । ଏହାଛଡ଼ା ସି.ଆର୍.ପି.ଏଫ୍ ଓ ୭ମ ବାଟାଲିୟାନର ବ୍ରାସ୍ବ୍ୟାଣ୍ଡ୍, ଗାର୍ଡ ମାର୍ଚ୍ଚପାସ୍ କରିବା ସହ ବିଭିନ୍ନ ଦେଶାତ୍ମକବୋଧକ ଧୂନ୍ ପରିବେଷଣ କରିବେ । ଛଉ ନୃତ୍ୟ ଠାରୁ ଆରମ୍ଭ କରି ଚଢେ଼ୟାଚଢେ଼ୟାଣୀ, ଘୁମୁରା, ମା’ ସାରଳାଙ୍କ ଘଟନୃତ୍ୟ, କାଳିକା ନୃତ୍ୟ, ମହିଷାମର୍ଦ୍ଦିନୀ, ସମ୍ବଲପୁରୀ ନୃତ୍ୟ, ଆଦିବାସୀ ନୃତ୍ୟ, ରଣପା ଓ ଯୋଡ଼ିଶଂଖ, ଦେବଦାସୀ, ଗୋଟିପୁଅ, ପଶୁପକ୍ଷୀ ଓ ଜୀବନ୍ତ କଣ୍ଢେଇ ନୃତ୍ୟ ସହ ମ୍ୟାଜିକ୍ ସୋ’ ଇତ୍ୟାଦି ବିଭିନ୍ନ ସଂଧ୍ୟାରେ ପରିବେଷଣ କରାଯିବ । ମହୋତ୍ସବର ମୁଖ୍ୟ ଆକର୍ଷଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟପହଣ୍ଡି ଶ୍ରୀକ୍ଷେତ୍ର ପୁରୀ ଢ଼ାଞ୍ଚାରେ ଆଲଟ, ଚାମର, ଛତ୍ରତ୍ରାସ, କାହାଳୀ ଓ ପାରଂପାରିକ ଆଳତି, ପୂଜାର୍ଚ୍ଚନାର ଦିବ୍ୟ ଆରାଧନା ପ୍ରତି ସଂଧ୍ୟାରେ ସମସ୍ତଙ୍କ ପାଇଁ ଦର୍ଶନ ଓ ତୁଳସୀ ପ୍ରସାଦର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ, ପ୍ରଶାସକ, ଲେଖକ, କଳାକାର, ଆରକ୍ଷୀ ଓ ସମରବାହିନୀର ପ୍ରମୁଖ ଅଧିକାରୀ, କ୍ରୀଡ଼ା ଓ ଯୁବବର୍ଗର ପ୍ରତିଭାଧର ଓ ବିଭିନ୍ନବର୍ଗର ବ୍ୟକ୍ତିବିଶେଷ ବିଭିନ୍ନ ସଂଧ୍ୟାରେ ଏହି ମହୋତ୍ସବକୁ ଲୋକାର୍ପିତ କରିବାର ବ୍ୟବସ୍ଥା ସହ ‘ପବିତ୍ର ନୀଳଚକ୍ରଙ୍କ ବିଜେ ଓ ପ୍ରଦାନ ମହୋତ୍ସବ’ ଆଧ୍ୟାତ୍ମ ଓ ଭାରତୀୟ ସଂସ୍କୃତିର ଆଦର୍ଶ ପୁସ୍ତକମାନ ଲୋକାର୍ପଣ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି । ପ୍ରକାଶଥାଉକି ଚଳିତ ବର୍ଷଠାରୁ ଦୀର୍ଘ ତିନି ବର୍ଷ ବ୍ୟାପୀ ଚିନ୍ତା ଓ ଚେତନା ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ରାଜ୍ୟର କୋଣଅନୁକୋଣରେ ବିଭିନ୍ନ ଜନମଙ୍ଗଳକର କାର୍ଯ୍ୟ, ଜନଜାଗରଣ ଓ ଅସ୍ମିତାର ବ୍ୟାପକ ପ୍ରସାର, ସୁରକ୍ଷା ଓ ସମ୍ପ୍ରସାରଣର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର କୋଣଅନୁକୋଣରେ କରାଯିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି । ଅନୁରୋଧ, କଳାପ୍ରେମୀ ଓ ଓଡ଼ିଆ ଅସ୍ମିତାର ବର୍ଗୀକରଣ ଦର୍ଶକମଣ୍ଡଳି ବହୁସଂଖ୍ୟାରେ ଏହି ମହୋତ୍ସବରେ ଯୋଗଦେବାପାଇଁ ଚିନ୍ତା ଓ ଚେତନା ବୈଶାଖୀ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ବିଭିନ୍ନ ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ବହୁସଂଖ୍ୟାରେ ଏହାକୁ ପ୍ରସାରଣ ଓ ଫଟୋ ସମ୍ବାଦ ମୁଦ୍ରଣ କରି ଓଡ଼ିଆ ନବବର୍ଷ ପାଳନ ମହୋତ୍ସବର ଓଡ଼ିଆ ଅସ୍ମିତାକୁ ବିଶ୍ୱବିଦିତ କରିବାପାଇଁ ନିର୍ଦ୍ଦେଶକ, ବୈଶାଖୀ ମହୋତ୍ସବ କମିଟି ପକ୍ଷରୁ ବିନମ୍ର ନିବେଦନ କରାଯାଇଛି ।