centurian jitm

ପରିବେଶ ଓ ପରିସ୍ଥିତି ଲେଖକଙ୍କୁ ଲେଖିବାକୁ ବାଧ୍ୟ କରେ

  • ପ୍ରଶାନ୍ତ ମିଶ୍ରଙ୍କ ‘ପ୍ରତିପନ୍ନ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଆଖପାଖର ପରିବେଶ, ପରିସ୍ଥିତି ହିଁ ଲେଖକଟିଏକୁ ଲେଖିବା ପାଇଁ ବାଧ୍ୟ କରେ । ସାମାଜିକ ଗତି, ରୀତିରେ ଅବାଂଛିତ ପରିବର୍ତ୍ତନ ଦେଖି ଲେଖକଟିଏ ନଲେଖି ରହିପାରେ ନାହିଁ ବୋଲି ଲେଖେ । ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କ ରଚିତ “ପ୍ରତିପନ୍ନ” ପୁସ୍ତକର ଲୋକାର୍ପଣ ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାରର କୁଳସଚିବ ଡ. ନୃପରାଜ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି ଡ. ଉମା ବଲ୍ଲଭ ମହାପାତ୍ର ପ୍ରତିପନ୍ନ ପୁସ୍ତକ ଓଡ଼ିଶାର ଅନେକ ଅନଲୋଚିତ ପ୍ରସଙ୍ଗ ଲୋକଲୋଚନକୁ ଆଣିବାରେ ସଫଳ ହୋଇଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଚିବ ରାମଚନ୍ଦ୍ର ପଟେଲ ହଜି ଯାଉଥିବା ଅନେକ ଲୋକକଳା, ଲୋକ ସଂସ୍କୃତି ଓ ଐତିହାସିକ ଘଟଣାବଳିକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରାଯାଇଥିବା ଏହି ପୁସ୍ତକ ଆଗାମୀ ପିଢ଼ିକୁ ନିଶ୍ଚିତଭାବେ ମାର୍ଗଦର୍ଶନରେ ସହାୟକ ହେବ ବୋଲି କହିଥିଲେ । ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ ବଲାଙ୍ଗିର ଶାଖା ଆନୁକୂଲ୍ୟରେ ସଭାପତି ଶରତ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ରଘୁନନ୍ଦନ ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର ଅତିଥି ପରିଚୟ ଦେଇଥିଲେ । ପ୍ରତିପନ୍ନ ପୁସ୍ତକର ଲେଖକ ବରିଷ୍ଠ ସାମ୍ବାଦିକ ଶ୍ରୀ ମିଶ୍ର ଲେଖକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ । ଲିଲି ପଟେଲ ସଭା ସଂଯୋଜନା କରିଥିଲେ । ଏସ ୟୁ ଜେ ରାଜ୍ୟ ଉପସଭାପତି ମହେନ୍ଦ୍ର ଦର୍ଜି, ପ୍ରତିପନ୍ନ ସତ୍ଵାଧିକାରୀ ମାନସୀ ମିଶ୍ର, ଇଂ ସିଦ୍ଧାନ୍ତ ମିଶ୍ର, ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ରତିକାନ୍ତ କର୍ମୀ, ଜିଳ୍ଲା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ଶିଶିର ଶତପଥୀ, ଆଇନଜୀବୀ ଅଶୋକ ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରତିପନ୍ନ ପ୍ରଚ୍ଛଦ ଶିଳ୍ପୀ ରଜତ ପଟେଲଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଶ୍ରୋତା ମାନଙ୍କ ମଧ୍ୟରୁ ଶିକ୍ଷାବିତ ମନୋରଞ୍ଜନ ସାହୁ, ଜିଲ୍ଲା କୋଷାଗାର ଅଧିକାରୀ ଭୀମସେନ ବାଗ ଓ ଝରଣା ପାଢ଼ୀଙ୍କୁ ଭାଗ୍ୟଶାଳୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ଶତାଧିକ ବୁଦ୍ଧିଜୀବୀ, ସାମ୍ବାଦିକ, କବି, ସାହିତ୍ୟିକ, ରାଜନୈତିକ ନେତା, ଶିକ୍ଷକ, ଯୁବକ, ଛାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.