ଆଜି ପବିତ୍ର ବଡ଼ଦିନ : ଉତ୍ସବମୁଖର ହୋଇ ଉଠିଛି ଗୀର୍ଜାଘର, ଖ୍ରୀଷ୍ଟ ଭାଇଭଉଣୀଙ୍କ ମଧ୍ୟରେ ହର୍ଷୋଲ୍ଲାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ବଡ଼ଦିନ । ଉତ୍ସବମୁଖର ହୋଇ ଉଠିଛି ଗୀର୍ଜାଘର । ଖ୍ରୀଷ୍ଟ ଭାଇଭଉଣୀଙ୍କ ମଧ୍ୟରେ ପରିଲକ୍ଷିତ ହେଉଛି ହର୍ଷୋଲ୍ଲାସ । ଧରାପୃଷ୍ଠକୁ ଆସିଛନ୍ତି ପ୍ରଭୁ ଯୀଶୁ । ସଜେଇ ହୋଇଛି ଚର୍ଚ୍ଚ । ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ।

ସୂଚନାଯୋଗ୍ୟ ଯେ, ମଦର ମେରିଙ୍କ କୋଳରେ ଖ୍ରୀଷ୍ଟିୟାନମାନଙ୍କ ଧର୍ମଦେବତା ପ୍ରଭୁ ଯୀଶୁ ଡିସେମ୍ବର ମାସ ୨୫ ତାରିଖରେ ଜନ୍ମ ନେଇଥିଲେ । ତେଣୁ ଆଜିର ଦିନଟିକୁ ଖୁବ୍ ଉଲ୍ଲାସର ସହ ପାଳନ କରିଥାନ୍ତି ଖ୍ରୀଷ୍ଟିୟାନମାନେ । ଘରେ ଘରେ ଖ୍ରୀଷ୍ଟମାସ ଟ୍ରି ସଜାଇବା ସହିତ ପରସ୍ପର ମଧ୍ୟରେ ଉପହାର ବଣ୍ଟନ କରିଥାନ୍ତି ।

ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ବଡ଼ ପର୍ବ ଖ୍ରୀଷ୍ଟମାସ । ଲୋକେ ସାନ୍ତାକ୍ଲଜ ବେଶରେ ସଜ୍ଜିତ ହୋଇ ଉପହାର ବଣ୍ଟନ କରନ୍ତି । ‘ଜିଙ୍ଗଲ ବେଲ୍ ଜିଙ୍ଗଲ୍ ବେଲ୍ ଜିଙ୍ଗଲ୍ ଅନ୍ ଦ ଓ୍ୱେ’ ଗୀତରେ ଝୁମିଉଠନ୍ତି ଲୋକେ । ଖ୍ରୀଷ୍ଟମାସ ପୂର୍ବ ରାତିରେ ପ୍ରଭୁ ଯୀଶୁଙ୍କ ଉଦ୍ଦେଶ୍ୟରେ କରୋଲ୍ ଗାଆନ୍ତି । ବଡଦିନରେ ପ୍ରେମ ଓ ଭାଇଚାରାର ବାର୍ତ୍ତା ଭାବେ ଉପହାର ବାଣ୍ଟନ୍ତି ଓ ପରସ୍ପରଙ୍କ ଘରକୁ ଯାଆନ୍ତି । କେବଳ ଖ୍ରୀଷ୍ଟିଆନ ନୁହେଁ ଅନେକ ସ୍ଥାନରେ ଏହି ପର୍ବ ପାଳନରେ ଅନ୍ୟମାନେ ବି ସାମିଲ ହୋଇଥାନ୍ତି । ଗୀର୍ଜାଘର ଗୁଡିକୁ ସୁସଜ୍ଜିତ କରାଯାଇଥାଏ । ଏହି ଦିନରେ ସ୍କୁଲ କଲେଜ୍ ଛୁଟି ରହୁଥିବାରୁ ସାର୍ବଜନୀନ ଭାବେ ଦିନଟିକୁ ହର୍ଷୋଲ୍ଲାସରେ ପାଳନ କରାଯାଇଥାଏ ।

Leave A Reply

Your email address will not be published.