ବଡ଼ଦାଣ୍ଡରେ ରଥଟଣା ଆରମ୍ଭ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଛେରାପହଁରା ପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥଟଣା ଚାଲିଛି । ଘଣ୍ଟଘଣ୍ଟା, ହୁଳୁହୁଳି ଓ ହରିବୋଲ ଧ୍ୱନିରେ କମ୍ପି ଉଠୁଛି ବଡ଼ଦାଣ୍ଡ । ପରମ୍ପରା ଅନୁସାରେ, ପ୍ରଥମେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା । ଏହି ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଉଛନ୍ତି ନୀଳକନ୍ଦରକୁ । ତାପରେ ସୁଭଦ୍ରାଙ୍କ ରଥଟଣା ହେବ । ଏହାପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହେବ ।

ଏହା ପୂର୍ବରୁ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ‘ଛେରାପହଁରା’ କରିଥିଲେ । ଗଜପତି ମହରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିବା ପରେ ରାଜାବେଶରେ ରଥ ଉପରେ ଛେରାପହଁରା ନୀତି କରିଥିଲେ । ପରମ୍ପରା ଅନୁଯାୟୀ ସେ ପ୍ରଥମେ ତାଳଧ୍ୱଜ ରଥରେ ଛେରାପହଁରା ସଂପନ୍ନ କରିଥିଲେ । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ସୁବାସିତ ଜଳ ସିଞ୍ଚନ କରି ରଥକୁ ସୁବର୍ଣ୍ଣ ସମାର୍ଜନୀରେ ପରିଷ୍କୃତ କରିଥିଲେ । ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମାପନ ହେବା ପରେ ରଥଟଣା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୩ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ଘୋଷଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଛି । ଶ୍ରୀମନ୍ଦିରରୁ ଧାଡି ପହଣ୍ଡିରେ ଆଜି ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ ହୋଇଥିଲେ । ଏହାପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଦର୍ଶନ କରିଥିଲେ । ସେ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଥିଲେ । ପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ସକାଳୁ ସକାଳୁ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ, ଖେଚୁଡ଼ି ଭୋଗ ନୀତି ଶେଷ ହୋଇଥିଲା । ପରେ ରଥ ପ୍ରତିଷ୍ଠା ହୋଇ ମଙ୍ଗଳାର୍ପଣ, ପହଣ୍ଡି ସଂପନ୍ନ ହୋଇଥିଲା । ରଥକୁ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିଥିଲେ । ଏଥିସହ ଚିତା ଲାଗି ନୀତି ଓ ବେଶ ଶେଷପରେ ଛେରା ପହଁରା ସରିଥିଲା ।

Leave A Reply

Your email address will not be published.