ସଦନରେ ଯୋଜନାବଦ୍ଧ ବିଭ୍ରାଟ ସୃଷ୍ଟିକୁ ନେଇ କ୍ଷୋଭ ପ୍ରକାଶ କଲେ ଲୋକସଭା ବାଚସ୍ପତି

• ନାରାବାଜି କରିବା, ପ୍ଲାକାର୍ଡ ପ୍ରଦର୍ଶନ କରିବା ଏବଂ ବାରମ୍ବାର ଗତିରୋଧ ସୃଷ୍ଟି କରିବା ସଂସଦୀୟ ମର୍ଯ୍ୟାଦାର ଅପମାନ : ଲୋକସଭା ଅଧ୍ୟକ୍ଷ
• ସବୁ ରାଜନୈତିକ ଦଳର ସଦସ୍ୟମାନଙ୍କୁ ସଦନରେ କହିବା ପାଇଁ ପର୍ଯ;୍ୟାପ୍ତ ସୁଯୋଗ ଦିଆଯାଇଥିଲା, ଗମ୍ଭୀର ଓ ଅର୍ଥପୂର୍ଣ୍ଣ ଆଲୋଚନା ଆଗକୁ ବଢ଼ାଇବା ଉଚିତ : ଲୋକସଭା ବାଚସ୍ପତି
• ‘ଅପରେସନ୍ ସିନ୍ଦୂର’ ଏବଂ ଭାରତର ମହାକାଶ କାର୍ଯ୍ୟକ୍ରମର ସଫଳତା ଉପରେ ଗୃହରେ ସ୍ୱତନ୍ତ୍ର ଆଲୋଚନା ହୋଇଛି
• ସଦନ ଓ ସଂସଦ ପରିସରରେ ସଦସ୍ୟଙ୍କ ଭାଷା ସର୍ବଦା ଶାଳୀନ ହେବା ଉଚିତ: ଲୋକସଭା ବାଚସ୍ପତି
• ଅଷ୍ଟାଦଶ ଲୋକସଭାର ପଞ୍ଚମ ଅଧିବେଶନରେ ନିର୍ଦ୍ଧାରିତ ସମୟ ୧୨୦ ଘଣ୍ଟା ଥିବା ବେଳେ ମାତ୍ର ୩୭ ଘଣ୍ଟା ବୈଠକ ଅନୁଷ୍ଠିତ ହୋଇପାରିଥିଲା: ଲୋକସଭା ବାଚସ୍ପତି
• ବିଭ୍ରାଟ କାରଣରୁ କାର୍ଯ୍ୟସୂଚୀର ୪୧୯ଟି ପ୍ରଶ୍ନ ମଧ୍ୟରୁ ମାତ୍ର ୫୫ଟି ତାରକା ପ୍ରଶ୍ନର ମୌଖିକ ଉତ୍ତର ଦିଆଯାଇପାରିଛି: ଲୋକସଭା ବାଚସ୍ପତି
• ଅଧିବେଶନ ସମୟରେ ଲୋକସଭାରେ ୧୪ଟି ସରକାରୀ ବିଲ୍ ଆଗତ ହୋଇଥିଲା ଏବଂ ୧୨ଟି ବିଲ୍ ଗୃହୀତ ହୋଇଥିଲା: ଲୋକସଭା ବାଚସ୍ପତି
• ଅଷ୍ଟାଦଶ ଲୋକସଭାର ପଞ୍ଚମ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ, (ପିଆଇବି) : ୨୧ ଜୁଲାଇ, ୨୦୨୫ରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ଲୋକସଭାର ପଞ୍ଚମ ଅଧିବେଶନ ଆଜି ସମାପନ ହୋଇଛି ।
ଅଧିବେଶନର ଶେଷ ଦିନରେ ତାଙ୍କ ଅନ୍ତିମ ଅଭିଭାଷଣରେ, ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ସଦନରେ କ୍ରମାଗତ ଏବଂ ଯୋଜନାବଦ୍ଧ ବିଭ୍ରାଟ ସୃଷ୍ଟିକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଲୋକସଭା କିମ୍ବା ସଂସଦ ପରିସରରେ ସ୍ଲୋଗାନ ଦେବା, ପ୍ଲାକାର୍ଡ ପ୍ରଦର୍ଶନ କରିବା ଏବଂ ଯୋଜନାବଦ୍ଧ ବାଧା ସୃଷ୍ଟି କରିବା ଦ୍ୱାରା ସଂସଦୀୟ କାର୍ଯ୍ୟର ମର୍ଯ୍ୟାଦାକୁ କ୍ଷତି ପହଞ୍ଚାଉଛି ବୋଲି ଶ୍ରୀ ବିର୍ଲା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଜନସାଧାରଣ ପ୍ରତିନିଧିମାନଙ୍କଠାରୁ ବହୁତ ଆଶା ରଖନ୍ତି । ତେଣୁ, ସେମାନେ ଗୃହରେ ସେମାନଙ୍କର ସମୟକୁ ଜନସ୍ୱାର୍ଥ ସହ ଜଡ଼ିତ ସମସ୍ୟା ଓ ପ୍ରସଙ୍ଗ ଏବଂ ଗୁରୁତ୍ୱପୂର୍ଣ୍ଣ ଆଇନ ଉପରେ ଗମ୍ଭୀର ଓ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଉପଯୋଗ କରିବା ଉଚିତ । ବାଚସ୍ପତି କହିଥିଲେ, ଅଧିବେଶନ ସମୟରେ ସେ ବିଭିନ୍ନ ରାଜନୈତିକ ବର୍ଗର ସଦସ୍ୟମାନଙ୍କୁ ଗୃହରେ କହିବା ଏବଂ ଗୁରୁତ୍ୱପୂର୍ଣ୍ଣ ଆଇନ ଓ ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲେ । ତଥାପି ଗୃହରେ କ୍ରମାଗତ ଅଚଳାବସ୍ଥା ଦୁର୍ଭାଗ୍ୟଜନକ ବୋଲି କହି ସେ ଦୁଃଖପ୍ରକାଶ କରିଥିଲେ । ସେ ଜୋର ଦେଇ କହିଥିଲେ, ସଦନରେ ନାରାବାଜି କରିବା ଏବଂ ବିଭ୍ରାଟ ସୃଷ୍ଟି କରିବା ଠାରୁ ଦୂରେଇ ରଖି ସାର୍ଥକ ଆଲୋଚନାକୁ ଆଗକୁ ବଢ଼ାଇବା ଉଚିତ୍ । ସେ କହିଛନ୍ତି ଯେ ମୌସୁମୀ ଅଧିବେଶନରେ ଯେଉଁ ପ୍ରକାରର ଭାଷା ଏବଂ ଆଚରଣ ପ୍ରଦର୍ଶନ କରାଗଲା, ତାହା ସଂସଦର ମର୍ୟ୍ୟାଦା ଅନୁରୂପ ନୁହେଁ । ସଦନ ଭିତରେ ଏବଂ ବାହାରେ ସଦସ୍ୟମାନଙ୍କର ଭାଷା ସର୍ବଦା ସଂଯମତାପୂର୍ଣ୍ଣ ଏବଂ ଶାଳୀନ ହେବା ଉଚିତ ବୋଲି ସେ ମନେ ପକାଇ ଦେଇଥିଲେ । ସଦସ୍ୟମାନେ ସେମାନଙ୍କର କାର୍ଯ୍ୟ ଓ ଆଚରଣ ଜରିଆରେ ଦେଶ ଏବଂ ବିଶ୍ୱ ସମ୍ମୁଖରେ ଏକ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ । ଶ୍ରୀ ବିର୍ଲା ସୂଚନା ଦେଇ କହିଥିଲେ, ଅଧିବେଶନର କାର୍ଯ୍ୟସୂଚୀରେ ୪୧୯ଟି ତାରକା ଚିହ୍ନିତ ପ୍ରଶ୍ନ ସାମିଲ କରାଯାଇଥିଲା, କିନ୍ତୁ ଯୋଜନାବଦ୍ଧ ବିଭ୍ରାଟ ଯୋଗୁଁ ମାତ୍ର ୫୫ଟି ପ୍ରଶ୍ନର ମୌଖିକ ଉତ୍ତର ଦିଆଯାଇପାରିଲା । ସେ ଆହୁରି ସୂଚନା ଦେଇଥିଲେ, ଅଧିବେଶନ ଆରମ୍ଭରେ ସମସ୍ତ ଦଳ ନିଷ୍ପତ୍ତି ନେଇଥିଲେ ଯେ ଏହି ଅଧିବେଶନରେ ସଦନ ୧୨୦ ଘଣ୍ଟା ଚର୍ଚ୍ଚା ଏବଂ ଆଲୋଚନା କରିବ । ବ୍ୟବସାୟ ପରାମର୍ଶଦାତା କମିଟି ମଧ୍ୟ ଏଥିରେ ସହମତ ହୋଇଥିଲେ, କିନ୍ତୁ କ୍ରମାଗତ ଅଚଳାବସ୍ଥା ଏବଂ ଯୋଜନାବଦ୍ଧ ବାଧା ସୃଷ୍ଟି କାରଣରୁ ଏହି ଅଧିବେଶନରେ ଗୃହରେ ମାତ୍ର ୩୭ଘଣ୍ଟା କାର୍ଯ୍ୟ ହୋଇପାରିଲା । ଅଧିବେଶନ ସମୟରେ ୧୪ଟି ସରକାରୀ ବିଲ୍ ଆଗତ କରାଯାଇଥିଲା ଏବଂ ୧୨ ଟି ବିଲ୍ ଗୃହୀତ ହୋଇଥିଲା ବୋଲି ଶ୍ରୀ ବିର୍ଲା ସୂଚନା ଦେଇଥିଲେ । ଶ୍ରୀ ବିର୍ଲା କହିଥିଲେ, ‘ଅପରେସନ୍ ସିନ୍ଦୂର’ ଉପରେ ଆଲୋଚନା ୨୮ ଜୁଲାଇ ୨୦୨୫ରେ ଆରମ୍ଭ ହୋଇଥିଲା ଏବଂ ୨୯ ଜୁଲାଇ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ସହିତ ଶେଷ ହୋଇଥିଲା । ୧୮ ଅଗଷ୍ଟ ୨୦୨୫ରେ ଭାରତର ମହାକାଶ କାର୍ଯ୍ୟକ୍ରମର ସଫଳତା ଉପରେ ଏକ ବିଶେଷ ଆଲୋଚନା ଆରମ୍ଭ ହୋଇଥିଲା ବୋଲି ସେ ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.